୨ ବର୍ଷ ପରେ ମା’ଙ୍କ ଦର୍ଶନ କରିବେ ଭକ୍ତ

ଜୁନାଗଡ,୧୭।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡର ଅଧିଷ୍ଟାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଆଜି (ଶନିବାର) ପାଳନ ହେବ। କୋଭିଡ୍‌ କଟକଣା ଯୋଗୁ ଗତ ୨ ବର୍ଷ ହେଲା ବିନା ଭକ୍ତରେ ମା’ଙ୍କ ପର୍ବ ପାଳିତ ହେଉଥିଲା। ଏହି ସମୟରେ ପ୍ରଶାସନ ପକ୍ଷରୁ ପର୍ବଦିନ ଅପରାହ୍ନ ୨ଟାରୁ ପରଦିନ ସକାଳ ୧୦ଟା ପର୍ଯ୍ୟନ୍ତ ମା’ଙ୍କ ମନ୍ଦିରରୁ ୫ ଶହ ମିଟର ଯାଏ ୧୪୪ଧାରା ଜାରି କରାଯାଉଥିଲା। ଫଳରେ ମା’ଙ୍କ ଦର୍ଶନ ନ ପାଇ ଭକ୍ତଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଥିଲା। ହେଲେ ଏଥର କୋଭିଡ୍‌ କଟକଣା ନ ଥିବାରୁ ସିଧାସଳଖ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଏହାକୁ ନେଇ ଏବେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି କୋଭିଡ୍‌ କଟକଣା ଯୋଗୁ ଗତ ୨ବର୍ଷ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଥିଲା। ଏଥର ସାଂସ୍କୃତିକ କାର୍ଯ୍ୟକ୍ରମରେ ମା’ ଲଙ୍କେଶ୍ୱରୀଙ୍କ ପୀଠ ଦୁଲୁକିବ ବୋଲି ଜଣାପଡିଛି। ଏପରିସ୍ଥଳେ ଶୁକ୍ରବାର ସନ୍ଧ୍ୟାରେ ଦେବୀପୀଠ ଉତ୍ସବ ମୁଖରିତ ହୋଇଯାଇଛି। ଦିନତମାମ ଅନେକ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ। ରାତିରେ ଇଷ୍ଟଦେବୀ ମନ୍ଦିର ସମେତ ମୁଖ୍ୟ ଦ୍ୱାର ଓ ଆଖପାଖ ଅଞ୍ଚଳ ଆଲୋକ ମାଳାରେ ଝଲସି ଉଠୁଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଘରଗୁଡ଼ିକରେ ଦ୍ୱୀପ ପ୍ରଜ୍ଜ୍ୱଳନ ସହ ସୁସଜ୍ଜିତ ଆଲୋକମାଳାରେ ସହର ଝଲସୁଛି। ଏପଟେ ଖଣ୍ଡାବସା ପର୍ବ ଯେମିତି ଶାନ୍ତିଶୃଙ୍ଖଳା ସହିତ ହେବ ସେ ନେଇ ଜୁନାଗଡ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି ପର୍ବରେ ୧ ପ୍ଲାଟୁନ ପୋଲିସ ସମେତ ଜିଲାର ବିଭିନ୍ନ ଥାନାରୁ ୧୦ଜଣ ପୋଲିସ ଅଧିକାରୀ (ଏସ୍‌ଆଇ ଓ ଏଏସ୍‌ଆଇ) ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିବେ। ସେହିପରି ଘଟଣାସ୍ଥଳରେ ଜୁନାଗଡ ଆଇଆଇସି ଉତ୍ତମ କୁମାର ସାହୁ, ଧର୍ମଗଡ ଏସ୍‌ଡିପିଓ ଧୀରଜ କୁମାର ଚୋପଦାର ପ୍ରମୁଖ ଉପସ୍ଥିତ ରହି ଆଇନଶୃଙ୍ଖଳା ପ୍ରତି ଦୃଷ୍ଟି ରଖିବେ। ପ୍ରଶାସନସ୍ତରରେ ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ, ଜୁନାଗଡ ତହସିଲଦାର ବେଦବ୍ୟାସ ଭୋଇ, ବିଡିଓ ଦୁଲାରାମ ମାରାଣ୍ଡି, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ପ୍ରମୁଖ ଦାୟିତ୍ୱ ତୁଲାଇବେ।