ସୁନ୍ଦରପୁର,ଗଙ୍ଗାପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ଆଗାମୀ ପିଢ଼ି ପାଇଁ ସୃଷ୍ଟି କରିବ ଶିକ୍ଷାର ବାତାବରଣ

ଛତ୍ରପୁର, ୭।୬ (ଦିଲ୍ଲୀପ କୁମାର ସାମଲ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେଉଛି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ସରକାରୀ ଶିକ୍ଷାନୁଷ୍ଠାନ, ଯାହା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ଆଧୁନିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଛି। ସରକାରଙ୍କ ପକ୍ଷରୁ ଏଠାରେ ନାମଲେଖା, ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି।

ରବିବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲାର ୭ଟି ସ୍ଥାନରେ ଏହି ବିଦ୍ୟାଳୟଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଛତ୍ରପୁର ବ୍ଲକର ସୁନ୍ଦରପୁର ପଞ୍ଚାୟତର ସୁନ୍ଦରପୁର ଏବଂ ପୋଟଲାମପୁର ପଞ୍ଚାୟତର ଗଙ୍ଗାପୁରଠାରେ ମଧ୍ୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, ଶିକ୍ଷା କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଏହି ଦୂରଦର୍ଶୀ ପଦକ୍ଷେପ ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସୁଯୋଗ ପ୍ରଦାନ କରିବ। ଏହି ଉଦ୍ୟମ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ‘ବିକଶିତ ଓଡ଼ିଶା’ ଗଠନରେ ସହାୟକ ହେବ।

ବିଦ୍ୟାଳୟର ନୂତନ ଭିତ୍ତିଭୂମି ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହିତ ଆଗାମୀ ପିଢ଼ି ପାଇଁ ଉତ୍ତମ ଶିକ୍ଷାର ବାତାବରଣ ସୃଷ୍ଟି କରିବ ବୋଲି ବିଧାୟକ  ନାୟକ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମ୍ ପି ପ୍ରତିନିଧି ଆର୍. ସନ୍ତୋଷ ରେଡ୍ଡୀ, ୧୯ ନମ୍ବର ଜିଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା, ସମିତି ସଭ୍ୟା ସୁଜ୍ଞାନୀ ସେଠି, ଛତ୍ରପୁର ବିଇଓ ସୁଜିତ କୁମାର ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପିତାମ୍ବର ମହାଙ୍କୁଡ଼, ପ୍ରଧାନ ଶିକ୍ଷୟିତ୍ରୀ କେ. ଲଳିତା ଦେବୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ସେହିପରି ପୋଟଲାମପୁର ପଞ୍ଚାୟତର ଗଙ୍ଗାପୁର ହାଇସ୍କୁଲ ପରିସରରେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

 

 

 

 

 

 

 

 

 

Share