ଈଶ୍ୱର ଭିକ୍ଷାରେ ପାଣି ଦିଅନ୍ତୁ

ସାଣ୍ଟିଆଗୋ, ୧୫ା୬: ୨୦ ବର୍ଷ ତଳେ ମଧ୍ୟ-ଚିଲିର ଭାଲପାରାଇସୋ ସହରର ପ୍ରମୁଖ ଜଳଉତ୍ସ ଥିବା ପେନୁଲାସ୍‌ ହ୍ରଦ ଏବେ ଜଳଶୂନ୍ୟ ହୋଇଛି। ଯେଉଁଥିରେ ପୂର୍ବରୁ ୩୮ ହଜାର ଅଲିମ୍ପିକ୍‌ ସୁଇମିଂ ପୁଲ୍‌ କ୍ଷମତାର ଜଳ ରହୁଥିଲା ଏବେ ତାହା ମରୁଭୂମି ପାଲଟିଛି। ୩୮ ହଜାର ବଦଳରେ କେବଳ ୨ଟି ପୋଖରୀରେ ରହିପାରୁଥିବା ପାଣି ଏବେ ଉକ୍ତ ହ୍ରଦରେ ବାକି ଅଛି। ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଯୋଗୁ ହ୍ରଦଟି ଏବେ ଜଳଚର ପ୍ରାଣୀଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ହୋଇ ରହିନାହିଁ। ଯେଉଁଠି ଦିନେ ଶତାଧିକ ପ୍ରଜାତିର ମାଛ ତଥା ଜଳଚର ବାସ କରୁଥିଲେ ସେଠାରେ ଚାରିଆଡେ ସେଗୁଡ଼ିକର ଅବଶେଷ ତଥା ହାଡ଼ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି। ହ୍ରଦରୁ ମାଛ ଧରି ପେଟ ପୋଷୁଥିବା ସ୍ଥାନୀୟ ବାସିନ୍ଦା ୫୪ ବର୍ଷୀୟ ଆମାଣ୍ଡା କାରାସ୍‌କୋ କହିଛନ୍ତି, ଏବେ ଏକମାତ୍ର ଈଶ୍ୱର ହିଁ ଭରସା। ଆମେ ତାଙ୍କୁ ଜଳ ଭିକ୍ଷା କରୁଛୁ। କେବଳ ଆମାଣ୍ଡା ନୁହେଁ ସେଠାକାର ହଜାର ହଜାର ବାସିନ୍ଦାଙ୍କ ସମେତ ଆଖପାଖରେ ଥିବା ପଶୁପକ୍ଷୀ ପାଣି ସନ୍ଧାନରେ ଡହଳବିକଳ ହେଉଛନ୍ତି।
ବର୍ଷ ଧରି ମରୁଡ଼ି ଲାଗି ରହିବା ସହ ଏହି ଦକ୍ଷିଣ ଆମେରିକୀୟ ଦେଶରେ ବର୍ଷାର ମାତ୍ରା ଏବେ ବହୁ ପରିମାଣରେ ହ୍ରାସ ପାଇଛି। ଖରା ଓ ବସନ୍ତ ଋତୁ ପାଇଁ ଆଣ୍ଡିସ୍‌ ହିମବାହରୁ ତରଳିଥିବା ଜଳ ଲୋକଙ୍କ ଆବଶ୍ୟକତା ପୂରଣ କରିଥାଏ। କିନ୍ତୁ ପ୍ରବଳ ଖରା ଯୋଗୁ ହିମବାହରୁ ତରଳୁଥିବା ଜଳ ସିଧାସଳଖ ବାଷ୍ପୀଭୂତ ହୋଇଯାଉଛି। ବିଶ୍ୱର ସର୍ବାଧିକ କପର୍‌ ବା ତମ୍ବା ଉତ୍ପାଦନକାରୀ ଦେଶ ଚିଲି ଏବେ ଜଳାଭାବ ସମସ୍ୟାରେ ଯୁଝି ହେଉଥିବାବେଳେ ଲିଥିୟମ ପାଇଁ ଆବଶ୍ୟକ ପାଣି ଉପଲବ୍ଧ ହୋଇପାରୁନାହିଁ। ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ପ୍ରତିଦିନ ବହୁ ସଂଖ୍ୟାରେ ପଶୁପକ୍ଷୀ ପାଣି ଅଭାବରୁ ମରୁଛନ୍ତି। ପରିବେଶ ବିଶେଷଜ୍ଞଙ୍କ ମତରେ, ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଜଳସ୍ରୋତଗୁଡ଼ିକ ବ୍ୟାପକ ପ୍ରଭାବିତ ହୋଇଛି। ଚିଲିରେ ପାଣିପାଗ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଆଣ୍ଡିସ୍‌ ପାହାଡ଼ରୁ ବରଫ ତରଳିବା ଉପରେ ଏଠାକାର ଲୋକେ ନିର୍ଭର କରୁଥିଲେ। ଏବେ ତାହା ମଧ୍ୟ ବନ୍ଦ ହୋଇଯାଇଛି। ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଦେଶରେ ୩୦%ରୁ ଅଧିକ ପରିମାଣର ଜଳ ଅଭାବ ଲାଗି ରହିବ ବୋଲି ଚିଲି ୟୁନିଭର୍ସିଟି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।

Share