ଜେଲ ଫେରିଲେ ଗୋବିନ୍ଦ ସାହୁ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୩।୭(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ୧୪ ଦିନିଆ ଜାମିନ ଅବଧି ସାରି ଶୁକ୍ରବାର କଣ୍ଟାବାଞ୍ଜି ଉପକାରାଗାରକୁ ଫେରିଛନ୍ତି। ଅଭିଯୁକ୍ତ ସାହୁ ନିଜ ସ୍ତ୍ରୀ ଏବଂ ପୁଅ ଅସୁସ୍ଥ ଥିତ୍ବା ଦର୍ଶାଇ ସେମାନଙ୍କ ଚିକିତ୍ସା ଲାଗି ଓକିଲଙ୍କ ଜରିଆରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଅଭିଯୁକ୍ତ ସାହୁଙ୍କୁ ଦୁଇ ସପ୍ତାହର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ର୍ରଦାନ କରିଥିଲେ। ହାଇକୋର୍ଟଙ୍କ ବେଲବଣ୍ଡ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ପ୍ରଦାନ କରିବା ପରେ ଗତ ୮ ତାରିଖ ଦିନ ସେ ଜାମିନରେ ଜେଲରୁ ବାହାରିଥିଲେ। ସର୍ତ୍ତମୂଳକ ଜାମିନ ମିଳିବା ପରେ ନିଜ ସ୍ତ୍ରୀ ଓ ପୁଅଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇ ଚିକିତ୍ସା କରିବା ପରେ ସେ ଫେରିଥିବା ଜଣାପଡିଛି। ତେବେ ଏହି ଜାମିନ ଅବଧିରେ ସେ ନିଜ ଗଁା ମହାଲିଙ୍ଗଠାରେ ବାହୁଡାଯାତ୍ରାର ପହଣ୍ଡି ବିଜେରେ ଉପସ୍ଥିତ ରହିବା ପରେ ଗଣମାଧ୍ୟମରେ ତାଙ୍କ ଜାମିନ ସର୍ତ୍ତ ଖିଲାପ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।