ମହଙ୍ଗା ପଡିଲା ଛେଳି ଚୋରି : କଙ୍ଗାରୁ କୋର୍ଟରେ ଛେଚା ଖାଇଲେ ଦୁଇ ଯୁବକ

ମୋରଡା,୧୦।୧୦(ସ୍ମାରକ ମାଜୀ): ମହଙ୍ଗା ପଡିଲା ଛେଳି ଚୋରି। ଛେଳି ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ଧୁମ ମାଡ଼ ଖାଇଲେ ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ମୋରଡା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର ସାହାରଯୋଡି ଗାଁରେ।
ଘଟଣା ମୁତାବକ,ପଶ୍ଚିମବଙ୍ଗ ବେଲଦା ଅଞ୍ଚଳର ଦୁଇଜଣ ଯୁବକ ସାକିଲ ଖାଁ ଓ଼ ଜୁମାନ ଖାଁ ମୋରଡା ଥାନା ଅଧୀନ ଖୁରୁଣ୍ଟିଆ ଛକରୁ ଏକ ବାଇକ(ଡବ୍ଲ୍ୟୁବି-୩୪-ବିଆର-୧୭୮୮)ରେ ଏକ ଛେଳିକୁ ବସାଇ ନେଇ ଯାଉଥିଲେ। ଏହି ସମୟରେ ବାଦଲ ସିଂ ନାମକ ଜଣେ ଯୁବକ ଉକ୍ତ ଦୁଇଜଣଙ୍କୁ ଦେଖି ସନ୍ଦେହ ହେବାରୁ ସାହାରଯୋଡି ଗ୍ରାମ ନିକଟରେ ଗ୍ରାମବାସୀଙ୍କ ଦ୍ୱାରା ଅଟକାଇ ଥିଲେ ଏବଂ ପଚରାଉଚରା କରିବାରୁ ଛେଳି ଚୋରି କରିଥିବାର ଜଣାପଡ଼ିଥିଲା। ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ସାକିଲ ଓ଼ ଜୁମାନଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ପରେ ମୋରଡା ପୋଲିସକୁ ଘଟଣା ସମ୍ପର୍କରେ ଗ୍ରାମବାସୀ ଜଣାଇଥିଲେ । ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉକ୍ତ ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ଏବଂ ଏନେଇ ୨୫୬/୧୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।