ଘରୋଇ ହସ୍ପିଟାଲରେ ମାଗଣାରେ ହେବ କରୋନା ଚିକିତ୍ସା: ମୁଖ୍ୟମନ୍ତ୍ରୀ

ପଣଜୀ,୧୬।୫: ଗୋଆରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ କିଛି ଦିନ ହେବ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଯାହାକୁ ନେଇ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଏହି ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅକ୍ସିଜେନ ଅଭାବ ଓ ମୃତ୍ୟୁ ଦୁଇଟି ଭିନ୍ନ ଭିନ୍ନ ମାମଲା। ଅନ୍ୟପଟେ ରାଜ୍ୟ ସରକାର ପ୍ରମୋଦ ସାଓ୍ବନ୍ତ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଗୋଆରେ ଥିବା ସମସ୍ତ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ଏବେ ମାଗଣାରେ କରାଯିବ। ଏଥିସହ ମେ’ ୧୭ରୁ କରୋନା ଚିକିତ୍ସା ଲାଗି ରାଜ୍ୟର ୨୧ଟି ଘରୋଇ ହସ୍ପିଟାଲକୁ ସେ ନିଜ ଆୟତ୍ତକୁ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ନିୟମର ଉଲ୍ଲଂଘନ ଯଥା ରୋଗୀଙ୍କଠାରୁ ଅଧିକ ଶୁଳ୍କ କିମ୍ବା ସଂରକ୍ଷିତ ଶଯ୍ୟା ଆଦିକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲ(ଜିଏମ୍‌ସିଏଚ୍‌) ଭଳି ହସ୍ପିଟାଲ ଗୁଡିକରେ ଚାପ କମ୍‌ ରହିବ ବୋଲି ସରକାର କହିଛନ୍ତି। ସୂଚନାଯୋଗ୍ୟ, ଗତ ୪ଦିନ ମଧ୍ୟରେ ଜିଏମ୍‌ସିଏଚ୍‌ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୭୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିିଛି। ଯାହାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

Share