Categories: ଜାତୀୟ

ନାବାଳିକା ବଳାତ୍କାର ମାମଲାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

ପଣଜି,୨୯ ।୭: ଗୋଆରେ ନିକଟରେ ୨ ନାବାଳିକାଙ୍କ ବଳାତ୍କାର ଘଟଣା ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାର ନିନ୍ଦା ମଧ୍ୟ କରାଯାଇଥିଲା । ଏବେ ଏହାକୁ ନେଇ ବୁଧବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଧାନସଭାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମାତାପିତା ଏହି ଘଟଣାକୁ ନେଇ ଆତ୍ମସମିକ୍ଷା କରିବା ଦରକାର ଯେ ଅନ୍ଧାର ହେବା ପରେ ରାତିରେ କାହିଁକି ସେମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ସାୱନ୍ତ ବିରୋଧି ବିଧାୟକ ତାଙ୍କ ଉପରେ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଥିଲେ । ସେ କହିଥିଲେ ୨୪ ଜୁଲାଇ ରାତିରେ ୧୦ ଜଣ ସମୁଦ୍ର କୂଳରେ ପାର୍ଟି କରୁଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଘରକୁ ଫେରିଥିବା ବେଳେ ୨ ଜଣ ସମୁଦ୍ର କୂଳରେ ସମ୍ପୂର୍ଣ୍ଣ ରାତି କାଟିଥିଲେ । ଏକଥାକୁ ସେମାନଙ୍କ ମାତାପିତା ଚିନ୍ତା କରିବା ଦରକାର । ସବୁ ଅସୁବିଧା ପୋଲିସ ମୁଣ୍ଡରେ ଲଦିଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ । ପିଲାମାନେ ଯଦି ସେମାନଙ୍କ ଅଭିଭାବକଙ୍କ କଥା ମାନୁ ନାହାନ୍ତି ଏଥିପାଇଁ ପୋଲିସ କିଛି କରିପାରିବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ ବିରୋଧ କରିଥିଲେ । ସେ କହିଥିଲେ ଗୋଅର ବ୍ରାଣ୍ଡ ଇମେଜ ହେଉଛି ଏଠାରେ ଯେ କୌଣସି ବ୍ୟକ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ମଣିପାରିବେ । ସୂଚନାଯୋଗ୍ୟ ଉକ୍ତ ବଳାତ୍କାର ମାମଲାରେ ପୋଲିସ ଏପଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି ।

Share