କରୋନାକୁ ହରାଇବା ଲାଗି ଘରଘର ବୁଲି ଟିକାକରଣ କର, ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ର…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କରୋନା ମହାମାରୀ ଲଢ଼େଇରେ ଘର ଘର ବୁଲି ଟିକା ଦାନ ଅଭିଯାନକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୪୮ ଜିଲାର ଅଧିକାରୀଙ୍କ ସହିତ ଏକ ଭର୍ଚ୍ୟୁଆଲ୍‌ ବୈଠକରେ ଯୋଗଦେଇ ଆହ୍ନାନ ଦେଇଛନ୍ତି।

ଏସବୁ ଜିଲାରେ ୫୦ ପ୍ରତିଶତରୁ କମ୍‌ ଜନସଂଖ୍ୟା ଟିକା ନେଇଛନ୍ତି। ତେଣୁ ଲୋକଙ୍କ ଗୁଜବରୁ ତଥା ବିଭିନ୍ନ ଭ୍ରମରୁ ଦୂରେଇ ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ପ୍ରତ୍ୟେକ ଗାଁ, ଜିଲାର ପ୍ରତ୍ୟେକ ସହର ପାଇଁ ଏକ ଭିନ୍ନ ରଣନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଞ୍ଚଳ ଅନୁସାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦-୨୫ ଜଣିଆ ଦଳ ଗଠନ କରି ଟିକାଦାନ ଅଭିଯାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗୁଜବ ବିରୋଧରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ମଧ୍ୟ ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆବଶ୍ୟକସ୍ଥଳେ ସ୍ଥାନୀୟ ଧାର୍ମିକ ନେତାଙ୍କର ସହାୟତା ନେବାକୁ ପ୍ରଧାନମନ୍ତ୍ରୀ ଜିଲା ଅଧିକାରୀଙ୍କୁ କହିଛନ୍ତି।

ଏହି ମେଗା ଟିକାଦାନ ଅଭିଯାନ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ସ୍ବାସ୍ଥ୍ୟକର୍ମୀ ଘର ଘର ବୁଲି ପ୍ରଥମ ଅବା ଦ୍ୱିତୀୟ ଡୋଜ୍‌ ନେଇ ନ ଥିବା ଲୋକଙ୍କୁ ଟିକା ଦେବେ। ଇତିମଧ୍ୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୭୭ ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ କରାଯାଇଛି। ଅପରପକ୍ଷରେ ୩୨ ପ୍ରତିଶତଙ୍କୁ ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି। ତେବେ ୧୧ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍‌ ନେଇ ଦ୍ୱିତୀୟ ଡୋଜ୍‌ର ସମୟ ବିତି ଯାଇଥିଲେ ମଧ୍ୟ ଏହା ନେଇ ନାହାନ୍ତି। ଏହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

 

 

Share