ତ୍ୱଚା ପାଇଁ ବରଦାନ ଗ୍ଲିସେରିନ୍‌

ସୁନ୍ଦର ଏବଂ ମୁଲାୟମ ତ୍ୱଚା ସର୍ବଦା ଆକର୍ଷଣୀୟ ଲାଗିଥାଏ। ଆଉ ନିଜ ତ୍ୱଚାକୁ ଏପରି କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ବି ବ୍ୟବହାର କରନ୍ତି। ହେଲେ ଆପଣ ଚାହିଁଲେ ଗ୍ଲିସେରିନ୍‌ ବ୍ୟବହାର କରି ଏପରି ତ୍ୱଚା ପାଇପାରିବେ…

ଶୀତଦିନେ ତ୍ୱଚା ରୁକ୍ଷ ହୋଇଯିବା ଅଧିକାଂଶଙ୍କ ପାଇଁ ଏକ ବଡ଼ ସମସ୍ୟା। ଏମିତିରେ ଗ୍ଲିସେରିନ୍‌ ବ୍ୟବହାର ସବୁଠୁ ଭଲ। ଏହାକୁ ମଶ୍ଚରାଇଜର ଭାବେ ବ୍ୟବହାର କଲେ ତ୍ୱଚା ନରମ ଏବଂ ଚିକଣ ରହିଥାଏ। ଏଥିପାଇଁ ୧୦୦ମିଲି. ଗ୍ଲିସେରିନ୍‌ ସହିତ ୩-୪ଟି ଲେମ୍ବୁ ରସ, ୧୦୦ ମିଲି. ଗୋଲାପ ଜଳ ମିଶାଇ ମଶ୍ଚରାଇଜର ପ୍ରସ୍ତୁତ କରନ୍ତୁ। ଗାଧୋଇ ସାରିବା ପରେ ଏବଂ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ, ତ୍ୱଚାର ରୁକ୍ଷପଣ ଦୂର ହୋଇଯିବ।
ପରିବର୍ତ୍ତିତ ଜୀବନଶୈଳୀ ଲାଗି ଅନେକଙ୍କଠାରେ ଆଖିତଳେ କଳା ଦାଗ ଦେଖିବାକୁ ମିଳୁଛି। ଆପଣ ବି ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ତୁଳା ସାହାଯ୍ୟରେ ଗ୍ଲିସେରିନ୍‌ ନେଇ ଆଖି ଚାରିପଟେ ଲଗାନ୍ତୁ। କିଛିଦିନ ଏପରି କଲେ ଆପଣଙ୍କ କଳାଦାଗ ସମସ୍ୟା ଦୂର ହୋଇଯିବ।
ଶୀତଦିନେ ଓଠ ଫାଟିବା ସମସ୍ୟା ପ୍ରାୟ ଅନେକଙ୍କ ପାଇଁ ଚିନ୍ତାର କାରଣ ସାଜିଥାଏ। ଏମିତିରେ ଗ୍ଲିସେରିନ୍‌ ବ୍ୟବହାର କରିବା ବେଶ୍‌ ଲାଭଦାୟକ। ଏହା ଓଠକୁ ମଶ୍ଚରାଇଜ୍‌ କରି ରଖିବା ସହ ଗୋଲାପି ମଧ୍ୟ କରିଥାଏ। ତେବେ ରାତିରେ ଶୋଇବା ପୂର୍ବରୁ ଅଳ୍ପ କ୍ଷୀର ସରରେ ଗ୍ଲିସେରିନ୍‌ ମିଶାଇ ଲଗାଇଲେ ଭଲ।
ଡ୍ରାଏ କେଶ ହୋଇଗଲେ ଏହାକୁ ପୁନର୍ବାର ନର୍ମାଲ କରିବା ଲାଗି ଗ୍ଲିସେରିନ୍‌ ବ୍ୟବହାର କରିପାରିବେ। ଆଲୋଭେରା ଜେଲ୍‌ରେ ଗ୍ଲିସେରିନ୍‌ ମିଶାଇ କେଶ ମୂଳରୁ ଅଗ୍ର ଭାବ ପର୍ଯ୍ୟନ୍ତ ଭଲ ଭାବେ ଲଗାନ୍ତୁ। ୩୦ମିନିଟ୍‌ ପରେ ଅଳ୍ପ ଉଷୁମ ପାଣିରେ କେଶ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଲେଖାଏ ଏପରି କଲେ କେଶ ମଜଭୁତ୍‌ ହେବା ସହ ଚମକପ୍ରଦ ମଧ୍ୟ ହୋଇଥାଏ।