Categories: ଜାତୀୟ

ମୌସୁମୀକୁ ସକ୍ରିୟ କରୁଛି ବିଶ୍ୱ ତାପନ

ନୂଆଦିଲ୍ଲୀ, ୧୫।୪(ପି.ଟି.): ଜଳବାୟୁ ପରିବର୍ତ୍ତନ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ବର୍ଷାରେ ଅନିୟମିତତା ଦେଖାଦେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦେଶର ୧୩୦ କୋଟି ଲୋକଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ, ଅର୍ଥନୀତି, ଖାଦ୍ୟ ବ୍ୟବସ୍ଥା ଓ କୃଷିକୁ ଏହା ଗଭୀର ଭାବେ ପ୍ରଭାବିତ କରିବ ବୋଲି ‘ଆର୍ଥ ସିଷ୍ଟମ୍‌ ଡାଇନାମିକ୍ସ’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି। ଏଥିରେ ସାରା ବିଶ୍ୱର ୩୦ରୁ ଊର୍ଦ୍ଧ୍ୱ ନୂଆ ଜଳବାୟୁ ମଡେଲକୁ ତୁଳନା କରାଯାଇଛି।
ଅଧ୍ୟୟନ ଅନୁଯାୟୀ ପ୍ରତି ୧ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବୃଦ୍ଧି ମୌସୁମୀ ବର୍ଷାକୁ ୫% ବଢ଼ାଇପାରେ। ଜର୍ମାନୀର ପଟ୍ସଡାମ-ଇନ୍‌ଷ୍ଟିଚ୍ୟୁଟ ଫର୍‌ କ୍ଲାଇମେଟ ଇମ୍ପାକ୍ଟ ରିସର୍ଚ୍ଚର ଅଞ୍ଜା କାଟ୍‌ଜେନବର୍ଜର ଏହି ସୂଚନା ଦେଇଛନ୍ତି। ବିଶ୍ୱ ତାପନ ବଢ଼ୁଥିବାରୁ ଭାରତରେ ମୌସୁମୀ ବୃଷ୍ଟିପାତ ବଢ଼ିଛି। ଏକବିଂଶ ଶତାବ୍ଦୀରେ ମୌସୁମୀ ଗତିବିଧିକୁ ଉତ୍ତାପୀକରଣ ନିୟନ୍ତ୍ରଣ କରିବ ବୋଲି କାଟ୍‌ଜେନବର୍ଜର କହିଛନ୍ତି। ଚାଷ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଣି ଆବଶ୍ୟକ। ତେବେ ପରବର୍ତ୍ତୀ ସମୟରେ ଅତ୍ୟଧିକ ବର୍ଷା କ୍ଷତିକାରକ ବୋଲି ଜର୍ମାନୀ ଗବେଷକ ଜୁଲିଆ ପୋଙ୍ଗ୍ରାଜ୍‌ କହିଛନ୍ତି। ଅଶୀ ଦଶକରୁ ସବୁଜ ଗୃହ ବାଷ୍ପଜନିତ ଉତ୍ତାପୀକରଣ ମୌସୁମୀକୁ ପ୍ରଭାବିତ କରିବା ଆରମ୍ଭ କରିଥିଲା। ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପରିଣତି ଅଧିକରୁ ଅଧିକ ଅନୁଭୂତ ହେବାରେ ଲାଗିଛି। ଅନିୟମିତ ବର୍ଷା ଦେଶର କୃଷି ଓ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆମେରିକାର କଲମ୍ବିଆ ୟୁନିଭର୍ସିଟିର ଗବେଷକ ଆଣ୍ଡେର୍ସ ଲେଭେରମାନ କହିଛନ୍ତି।

Share