ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ ନିନ୍ଦା କରିଛନ୍ତି। ଦେଶରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ଗୁରୁବାର ମୋଦି ଟୁଇଟ୍‌ କରି କହିଛନ୍ତି। ଗଣତାନ୍ତ୍ରିକ ଶାସନରେ ଏଭଳି ହିଂସାକାଣ୍ଡ ଶୋଭନୀୟ ନୁହେଁ ବୋଲି ମୋଦି ପ୍ରକାଶ କରିଛନ୍ତି। ପ୍ରଦର୍ଶନ ଦ୍ୱାରା ଲୋକତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇବା ଠିକ୍‌ ନୁହେଁ। ଆଇନର ଉଲ୍ଲଂଘନ କରି ପ୍ରଦର୍ଶନ କରିବା କେବେ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେହିପରି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି ଯେ, ଆମେରିକାର ଗଣତାନ୍ତ୍ରିକ ପ୍ରକ୍ରିୟା ପୃଥିବୀ ପାଇଁ ଏକ ଉଦାହରଣ। ସେଠାରେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ୟୁରୋପିଆନ୍‌ ପାର୍ଲାମେଣ୍ଟ୍‌ ଅଧ୍ୟକ୍ଷ ଡେଭିଡ୍‌ ସାସୋଲି ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରନ୍‌ ଟୁଇଟ୍‌ କରି କହିଛନ୍ତି ଯେ, ଏଭଳି ଘଟଣା ଦ୍ୱାରା ଗଣତନ୍ତ୍ର ଉପରୁ ବିଶ୍ୱାସ ଉଠିବା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ମାକରନ୍‌ ଏନେଇ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେଉ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶୀଘ୍ର ଆମେରିକାରେ ଶାନ୍ତି ଫେରିବା ସହିତ ସ୍ବାଭାବିକ ସ୍ଥିତି ସୃଷ୍ଟି ହେଉ ବୋଲି ସେ କାମନା କରିଛନ୍ତି।

Share