Categories: ଜାତୀୟ

ବୈଶ୍ୱିକ ଲିଙ୍ଗଗତ ବ୍ୟବଧାନ ରିପୋର୍ଟ:୧୩୫ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୪ା୭: ଭାରତରେ ଲିଙ୍ଗଗତ ବ୍ୟବଧାନ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଓ୍ବାଲର୍‌ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍‌)ର ଜେଣ୍ଡର ଗ୍ୟାପ୍‌ ରିପୋର୍ଟ-୨୦୨୨ରେ ୧୪୬ ଦେଶ ମଧ୍ୟରୁ ଭାରତ ୧୩୫ ତମ ସ୍ଥାନରେ ରହିଛି। ୦ରୁ ୧ ସ୍କେଲରେ ଭାରତର ସ୍କୋର ୦.୬୨୯ ରହିଛି। ଏହା ହେଉଛି ଗତ ୧୬ ବର୍ଷ ମଧ୍ୟରେ ଭାରତର ୭ମ ସର୍ବାଧିକ ସ୍କୋର। ଏହି କ୍ଷେତ୍ରରେ ଗତ ବର୍ଷ ତୁଳନାରେ ଭାରତ ୫ ପାଦ ଆଗେଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ତେବେ ସ୍ବାସ୍ଥ୍ୟକ୍ଷେତ୍ରରେ ଭାରତର ର଼୍ୟାଙ୍କ୍‌ ସର୍ବନିମ୍ନ ରହିଥିବାବେଳେ ରାଜନୈତିକ ସଶକ୍ତୀକରଣରେ ମଧ୍ୟ ଦୁର୍ବଳ ସ୍ଥିତି ରହିଛି।

ଲିଙ୍ଗଗତ ସମାନତା ତାଲିକାର ସର୍ବାଗ୍ରେ ଦ୍ୱାଦଶ ଥର ପାଇଁ ଆଇସ୍‌ଲାଣ୍ଡ୍‌ ରହିଛି। ଏହି ଦେଶରେ ଲିଙ୍ଗଗତ ଅସମାନତା ୧୦%ରୁ କମ୍‌। ଶୀର୍ଷ ୧୦ ଦେଶ ମଧ୍ୟରୁ ୬ ହେଉଛନ୍ତି ୟୁରୋପୀୟ ରାଷ୍ଟ୍ର। ଆଇସ୍‌ଲାଣ୍ଡ୍‌ ପରେ ଫିନ୍‌ଲାଣ୍ଡ ଦ୍ୱିତୀୟ, ନରଓ୍ବେ ତୃତୀୟ, ସୁଇଡେନ ପଞ୍ଚମ, ଆୟର୍ଲାଣ୍ଡ ୯ମ ଏବଂ ଜର୍ମାନୀ ୧୦ମ ସ୍ଥାନରେ ରହିଛି। ଟପ୍‌ ଟେନ୍‌ ତାଲିକାର ଅନ୍ୟ ୪ ରାଷ୍ଟ୍ର ହେଲେ ନ୍ୟୁଜିଲାଣ୍ଡ(୪), ର୍ବାଣ୍ଡା (୬), ନିକାରାଗୁଆ(୭) ଏବଂ ନାମ୍ବିଆ(୮)। ୨୦୦୬ରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯିବା ପରଠୁ ଭାରତର ବୈଶ୍ୱିକ ଲିଙ୍ଗଗତ ବ୍ୟବଧାନ ୦.୫୯୩ରୁ ୦.୬୮୩ ମଧ୍ୟରେ ରହିଆସିଛି। ଗତବର୍ଷ ୦.୬୨୫ ସ୍କୋର ରଖି ଭାରତ ୧୫୬ ରାଷ୍ଟ୍ର ମଧ୍ୟରୁ ୧୪୦ ତମ ସ୍ଥାନରେ ରହିଥିଲା।

Share