ଗ୍ଲେନ ମ୍ୟାକ୍ସୱେଲଙ୍କ ରହିଗଲା ଅବଶୋଷ: ପୂରଣ ପୂର୍ବରୁ କ୍ରିକେଟ୍‌କୁ କହିଦେଲେ ଅଲବିଦା

ନୂଆଦିଲ୍ଲୀ,୩।୧୧:ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। କେବଳ ଅନ୍ତର୍ଜାତୀୟ କ୍ରିକେଟ ନୁହେଁ, ଫାଷ୍ଟ କ୍ଲାସ ଓ ଲିଷ୍ଟ-ଏ କ୍ରିକେଟ୍‌ରୁ ମଧ୍ୟ ସେ ଅବସର ଘୋଷଣା କରିଛନ୍ତି। ତେବେ କ୍ରିକେଟ୍‌କୁ ବିଦାୟ ଦେବା ସମୟରେ ତାଙ୍କ ମନରେ ଗୋଟିଏ ଅବଶୋଷ ରହିଯାଇଛି। ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (MCG)ରେ କ୍ୟାରିୟରର ଶେଷ ମ୍ୟାଚ ଖେଳିବାକୁ ଚାହୁଁଥିଲେ ଏହି ଷ୍ଟାର୍‌ ଖେଳାଳି।
’ଦି ଫାଇନାଲ ୱାର୍ଡ’ ପୋଡକାଷ୍ଟରେ ମ୍ୟାକ୍ସୱେଲ ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କ ଉପରେ କୌଣସି ଚାପ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ତଥାପି ନିଜ ଘରୋଇ ଗ୍ରାଉଣ୍ଡ MCGରେ ଫେୟାରୱେଲ ମ୍ୟାଚ ଖେଳି ନ ପାରିବା ତାଙ୍କ ପାଇଁ ଏକ ବଡ଼ ଅବଶୋଷ ହୋଇ ରହିବ।
ମ୍ୟାକ୍ସୱେଲ କହିଛନ୍ତି, ମୋର ଟିକିଏ ଆଶା ଥିଲା ଯେ ମୋତେ ବୋଧହୁଏ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏକ ବିଦାୟୀ ମ୍ୟାଚ ଖେଳିବାର ସୁଯୋଗ ମିଳିପାରେ। କିନ୍ତୁ ଦଳ ଏବେ ଯେଉଁ ଦିଗରେ ଆଗକୁ ବଢ଼ୁଛି, ତାହାକୁ ମୁଁ ସମ୍ପୂର୍ଣ୍ଣ ବୁଝିପାରୁଛି। ଆଗାମୀ ଏକରୁ ଦୁଇ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ। ୨୦୨୮ ମସିହାରେ ଅଲିମ୍ପିକ୍ସ ଥିବାରୁ ଆଗାମୀ ୧୨ରୁ ୨୪ ମାସ ମଧ୍ୟରେ ଦଳରେ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ। ଜଣେ ସିନିୟର ଖେଳାଳି ଭାବେ ଯୁବ କ୍ରିକେଟରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ଦେବା ଜରୁରୀ। କେବଳ ବିଗ ବାସ ଲିଗ (BBL) ଖେଳି ଏହି ଅଭିଜ୍ଞତା ମିଳିପାରିବ ନାହିଁ ବୋଲି ମ୍ୟାକ୍ସୱେଲ କହିଛନ୍ତି।

ମ୍ୟାକ୍ସୱେଲଙ୍କ ଅବସର ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲେ ମଧ୍ୟ ଏକ ଭଲ ଖବର ରହିଛି। ସେ ଟି-୨୦ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବେ। ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଥିବା BBL ୨୦୨୬-୨୭ ସିଜିନ୍ରେ ସେ ମେଲବୋର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳିବେ। ନିଜ ଟି-୨୦ କ୍ୟାରିୟରରେ ମ୍ୟାକ୍ସୱେଲ ଏପର୍ଯ୍ୟନ୍ତ ୧୧,୩୬୯ ରନ କରିଥିବା ବେଳେ ବୋଲିଂରେ ୨୧୪ଟି ଉଇକେଟ ହାସଲ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share