Categories: ଖେଳ

୧୪.୨୫ କୋଟି: ନିଜ ମୂଲ୍ୟକୁ ଏଭଳି ପରିଶୋଧ କରୁଛନ୍ତି ଆର୍‌ସିବିର ଏହି ବ୍ୟାଟ୍ସମ୍ୟାନ୍‌; ପଞ୍ଚମ ଥର ପାଇଁ…

ଦୁବାଇ,୯।୧୦: ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଶ୍ରୀକର ଭରତ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏଣୁ ଏହି ମ୍ୟାଚ୍‌ର ହିରୋ ବୋଲି ତାଙ୍କୁ କୁହାଯାଉଥିବା ବେଳେ ଗ୍ଲେନ୍‌ ମାକ୍ସଓ୍ବେଲଙ୍କ ଅବଦାନକୁ ଭୁଲି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆର୍‌ସିବି ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡରଙ୍କୁ ନିଲାମରେ ୧୪.୨୫ କୋଟି ଟଙ୍କାରେ କିଣିଥିଲା। ଏବେ ସେ ତାଙ୍କ ମୂଲ୍ୟକୁ ପରିଶୋଧ କରୁଛନ୍ତି।

ଆର୍‌ସିବିକୁ ଆସିବା ପରେ ମାକ୍ସଓ୍ବେଲ୍‌ଙ୍କ ଖେଳରେ ବହୁତ ଉନ୍ନତି ପରିଲକ୍ଷିତ ହେଉଛି। ସେ ଫ୍ରାଞ୍ଚାଇଜ୍‌ ପାଇଁ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଚଳିତ ଆଇପିଏଲ୍‌ରେ ସେ ନିଜର ୬ଷ୍ଠ ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଆଇପିଏଲ୍‌ ୨୦୨୧ର ପ୍ରଥମାର୍ଦ୍ଧ ଭାରତରେ ଖେଳାଯାଇଥିଲା। ଏଥିରେ ମାକ୍ସଓ୍ବେଲ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ୟୁଏଇରେ ମଧ୍ୟ ସେ ନିଜ ସେଭଳି ପ୍ରଦର୍ଶନ ଜାରି ରଖିଛନ୍ତି। ଶୁକ୍ରବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ସେ ୩୩ ବଲ୍‌ରୁ ୫୧ରନ୍‌ କରି ଅପରାଜିତ ଥିଲେ। ଆଇପିଏଲ୍‌ ଇତିହାସକୁ ଦେଖିଲେ ମାକ୍ସଓ୍ବେଲ୍‌ ଦ୍ୱିତୀୟ ଥର ପାଇଁ ୪୦୦ରୁ ଅଧିକ ରନ୍‌ ସ୍କୋର କରିଛନ୍ତି।

ଚଳିତ ଆଇପିଏଲ୍‌ରେ ଆର୍‌ସିବିର ସଫଳତାର ମନ୍ତ୍ର ମାକ୍ସଓ୍ବେଲ୍‌ ବୋଲି କହିଲେ ଭୁଲ ହେବ ନାହିଁ। ସେ ୧୪ ମ୍ୟାଚ୍‌ ଖେଳି ହାରାହାରି ୪୫.୨୭ ଏବଂ ୧୪୭.୩୩ ଷ୍ଟ୍ରାଇକ୍‌ ରେଟ୍‌ରେ ୪୯୮ ରନ୍‌ କରିଛନ୍ତି। ସେଥିରେ ୬ ଅର୍ଦ୍ଧଶତକ ରହିଛି। ଅପରପକ୍ଷେ ଆଜି ପର୍ଯ୍ୟନ୍ତ ଆଇପିଏଲ୍‌ରେ ସେ ୧୨ ଅର୍ଦ୍ଧଶତକ ରହିଛି। ସେଥିରୁ ଅଧା ଆର୍‌ସିବି ପକ୍ଷରୁ ଚଳିତ ସିଜିନ୍‌ରେ ସେ ସ୍କୋର କରିଛନ୍ତି। ଏହା ମାକ୍ସଓ୍ବେଲ୍‌ ଆର୍‌ସିବି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଉଛି ବୋଲି କୁହାଯାଉଛି।

Share