Categories: ଜାତୀୟ

ଏଏମ୍‌ୟୁରେ କୁରାନ ସହିତ ରହିଛି ଗୀତା-ରାମାୟଣ : ମୋଦି

ଅଲୀଗଡ଼,୨୨।୧୨:

ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ର ଶତାବ୍ଦୀ ବର୍ଷ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶିକ୍ଷାର୍ଥୀଙ୍କୁ ଦେଶଗଠନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଜଣାଇଛନ୍ତି। ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ସେବା କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସ ମନ୍ତ୍ର ନେଇ ଦେଶକୁ ଆଗେଇ ନେବାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ଏଏମ୍‌ୟୁ ଇତିହାସ ଦେଶ ସହିତ ଜଡ଼ିତ ହୋଇଥିବାବେଳେ ଏଠାରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ଦେଶ ପାଇଁ ସୁନାମ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ମୋଦି କହିଛନ୍ତି। ବିଦେଶରେ ଥିବା ଏଭଳି ବହୁ ଶିକ୍ଷାର୍ଥୀଙ୍କୁ ସେ ଭେଟିଥିବା ମୋଦି କହିଛନ୍ତି। ଏଏମ୍‌ୟୁ ମିନି ଇଣ୍ଡିଆ ଭଳି। ଏଠାରେ ଶିକ୍ଷାର୍ଥୀଙ୍କୁ ଉର୍ଦ୍ଦୁ, ହିନ୍ଦୀ, ଆରବୀ ଏବଂ ସଂସ୍କୃତ ଆଦି ପଢ଼ାଯାଇଥାଏ। ଏଠାକାର ଲାଇବ୍ରେରୀରେ କୁରାନ ସହିତ ଗୀତା, ରାମାୟଣ ମଧ୍ୟ ରହିଛି। ଶ୍ରେଷ୍ଠ ଭାରତ ପ୍ରତିଫଳନ ଏଠାରେ ଦେଖିବାକୁ ମିଳିଥାଏ। ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ୧୯୬୪ରେ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଉତ୍ସବରେ ଯୋଗଦେଇଥିଲେ। ଏହାପରେ ଗତ ୫୬ ବର୍ଷ ମଧ୍ୟରେ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟକୁ କେବେ ଆସି ନାହାନ୍ତି। ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀଙ୍କୁ ଅନ୍‌ଲାଇନରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି ଏକ ସ୍ବତନ୍ତ୍ର ଡାକଟିକଟ ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ୧୮୭୭ରେ ସାର୍‌ ସୟଦ୍‌ ଅହମ୍ମଦ୍‌ ଖାଁଙ୍କ ଦ୍ୱାରା ମହମ୍ମଡାନ୍‌ ଆଙ୍ଗ୍ଲୋ ଓରିଏଣ୍ଟାଲ କଲେଜ ସ୍ଥାପନ କରାଯାଇଥିଲା। ୧୯୨୦ରେ ଏହା ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଲାଭ କରିଥିଲା। ଏହି ବିଶ୍ୱବିଦ୍ୟାଳୟ ୪୬୭.୬ ହେକ୍ଟର ଜମି ଉପରେ ନିର୍ମିତ ହୋଇଛି। କେରଳର ମାଲାପୁରମ୍‌, ପଶ୍ଚିମବଙ୍ଗର ମୁର୍ସିଦାବାଦ ଜାଙ୍ଗିପୁର ଏବଂ ବିହାରର କିଶନଗଞ୍ଜ୍‌ରେ ଏହାର ଅଫ୍‌ କ୍ୟାମ୍ପସ୍‌ ରହିଛି।

 

Share