Categories: ଜାତୀୟ

ସୀମାରେ ଶତ୍ରୁ ଉପରେ କଡ଼ା ନଜର ରଖିବ ଜିସାଟ୍‌-୧…

ନୂଆଦିଲ୍ଲୀ,୮।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍‌-୧ର ଉତକ୍ଷେପଣ କରିବ। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ମାଧ୍ୟମରେ ସୀମାରେ ଆକାଶରୁ କଡ଼ା ନଜର ରଖାଯାଇ ପାରିବ। ଏହା ସୀମାର ଚିତ୍ର ଉତ୍ତୋଳନ କରି ଏହାକୁ ପ୍ରତିରକ୍ଷା ବିଭାଗକୁ ପଠାଇବ। ପାକିସ୍ତାନ ଏବଂ ଚାଇନା ସୀମାରେ ପ୍ରତିରକ୍ଷା ବ୍ୟବସ୍ଥା ଜିସାଟ୍‌-୧ ଦ୍ୱାରା ଅଧିକ ସଶକ୍ତ ହୋଇ ପାରିବ। ଏହାଯୋଗୁ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଏହି ଉପଗ୍ରହ ଅଗଷ୍ଟ ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଥିବା ଶ୍ରୀହରିକୋଟାସ୍ଥିତ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଲଞ୍ଚପ୍ୟାଡ୍‌ରୁ ଭୋର୍‌ ୫ଟା ୪୩ ରେ ଉତ୍‌କ୍ଷେପଣ କରାଯିବ।
ପୃଥିବୀଠାରୁ ୩୬,୦୦୦ କିଲୋମିଟର ଉପର କକ୍ଷପଥରେ ଉପଗ୍ରହଟି ଆକାଶରୁ ସୀମା ଉପରେ ନଜର ରଖିବ। କରୋନା ମହାମାରୀ ଯୋଗୁ ଏହି ଉପଗ୍ରହର ଉତକ୍ଷେପଣ ବିଳମ୍ବ ହୋଇଛି। ଇସ୍ରୋର ଜିଏସ୍‌ଏଲ୍‌ଭି-ଏଫ୍‌-୧୦ ରକେଟ ୨,୨୬୮ କିଲୋଗ୍ରାମ୍‌ ବିଶିଷ୍ଟ ଜିସାଟ୍‌-୧କୁ ବୋହି ନେଇ କକ୍ଷପଥରେ ଅବସ୍ଥାପିତ କରିବ। ଏହା ସୀମାର ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପାଣିପାଗର ପ୍ରକୃତ ସମୟ ସୂଚନା ମଧ୍ୟ ଉପଲବ୍ଧ କରାଇବ।
ଜିସାଟ୍‌-୧ ମାର୍ଚ୍ଚ ୫ରେ ଉତ୍‌କ୍ଷେପଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ କେତେକ ବୈଷୟିକ କାରଣରୁ ଉତ୍‌କ୍ଷେପଣର ଗୋଟିଏ ଦିନ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ କରୋନା ମହାମାରୀ ଯୋଗୁ ଦେଶରେ ଘୋଷଣା କରାଯାଇଥିବା ଲକଡାଉନ ହେତୁ ଉତ୍‌କ୍ଷେପଣରେ ବିଳମ୍ବ ହୋଇଥିଲା। ପରେ ଏପ୍ରିଲ ଏବଂ ପରେ ମେ’ରେ ଏହାର ଉତ୍‌କ୍ଷେପଣ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଲକଡାଉନ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା।

Share