କୋଲକାତା, ୧୬ା୧୧: ଦକ୍ଷିଣ କୋଲକାତାର ବିକ୍ରମଗଡ଼ ଅଞ୍ଚଳରେ ଏକ ଲୋମହର୍ଷକ କାଣ୍ଡ ଘଟିଛି। ଜଣେ ଯୁବତୀ ସମ୍ପର୍କ ଭାଙ୍ଗି ଅଲଗା ହୋଇଯିବାରୁ ତାଙ୍କର ପ୍ରେମିକ (ଲିଭ୍-ଇନ୍ ପାର୍ଟନର) କ୍ରୋଧାନ୍ଧ ହୋଇ ଯୁବତୀଙ୍କର ଦୁଇଟି ପାଳିତ କୁକୁରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏତିକି ନୁହେଁ, ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ସମୟରେ ଯୁବତୀଙ୍କୁ ଭିଡିଓ କଲ୍ କରି ଏହା ଦେଖାଇଥିବା ଜଣାପଡ଼ିଛି।
ଅଭିଯୁକ୍ତ ଯୁବକ ହେଲେ ସଞ୍ଜୀବ ଭଟ୍ଟାଚାର୍ଯ୍ୟ। ସେ ଶନିବାର ତାଙ୍କର ପୂର୍ବତନ ପାର୍ଟନର ପରୀ ନୋଭାଙ୍କୁ ଏକ ଭିଡିଓ କଲ୍ କରିଥିଲେ। କଲ୍ରେ ପରୀ ଦେଖିବାକୁ ପାଇଲେ ଯେ ତାଙ୍କର ଗୋଟିଏ ପାଳିତ କୁକୁର ଫାଶୀରେ ଝୁଲୁଛି। ଏହା ଦେଖି ଆତଙ୍କିତ ହୋଇପଡ଼ି ସେ ତୁରନ୍ତ ସ୍ଥାନୀୟ ଜଣେ ବାସିନ୍ଦାଙ୍କୁ ଫୋନ କରି ଫ୍ଲାଟ୍କୁ ଦୌଡ଼ିଯିବାକୁ ଅନୁରୋଧ କରିଥିଲେ। ସ୍ଥାନୀୟ ବ୍ୟକ୍ତି ଜଣକ ଆପାର୍ଟମେଣ୍ଟରେ ପହଞ୍ଚି ଦୁଇଟି କୁକୁରଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସମଗ୍ର ଫ୍ଲାଟ୍ଟି ରକ୍ତରେ ଭିଜି ଯାଇଥିଲା। ଏନେଇ ସ୍ଥାନୀୟ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ସଞ୍ଜୀବଙ୍କୁ ଗିରଫ କରିଛି। ଘଟଣା ସାମ୍ନାକୁ ଆସିବା ପରେ କେତେଜଣ ପ୍ରାଣୀ ପ୍ରେମୀ ସେଠାରେ ପହଞ୍ଚି କୁକୁରଙ୍କ ମୃତଦେହ ବାହାର କରିବା ସହ ଫ୍ଲାଟ ଭିତରେ ବନ୍ଦୀ ଥିବା ଅନ୍ୟ କିଛି ପ୍ରାଣୀଙ୍କୁ ଉଦ୍ଧାର କରିଥିଲେ। ପ୍ରାଣୀପ୍ରେମୀ ହୃତିଷା ଦେ ଏବଂ ଦେବଲିନା ଦତ୍ତା କହିଛନ୍ତି, ଘର ଭିତରେ ରକ୍ତ ଛିଟା ପଡ଼ିଥିବାବେଳେ ଅଭିଯୁକ୍ତ ଜଣକ ଏକ ଇଟାରେ ଛୋଟ କୁକୁରର ମୁଣ୍ଡକୁ ଛେଚିଦେଇଥିଲା ଏବଂ ଅନ୍ୟ ପ୍ରାଣୀଙ୍କୁ ମାରିବା ପାଇଁ ପାଣି ଫୁଟାଉଥିଲା। ମୂଳତଃ ହିମାଚଳ ପ୍ରଦେଶର ବାସିନ୍ଦା ପରୀ ନୋଭା ଗଣମାଧ୍ୟମ ଆଗରେ କାନ୍ଦି କହିଛନ୍ତି, ଗତ ୬-୭ ମାସ ମଧ୍ୟରେ ସେ ଅତି କଠୋର ଶାରୀରିକ ନିର୍ଯାତନାର ସମ୍ମୁଖୀନ ହୋଇଥିବାରୁ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଅଭିଯୁକ୍ତ ଜଣକ ଜଣେ ‘ମାନସିକ ବିକାରଗ୍ରସ୍ତ’ ବୋଲି ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଭାଜପା ବିଧାୟକ ପାପିଆ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଜଣକ ମାନସିକ ଭାବେ ଅସ୍ଥିର ଏବଂ ତାଙ୍କୁ ସମାଜରେ ମୁକ୍ତ ଭାବେ ବୁଲିବାକୁ ଦିଆଯିବା ଉଚିତ୍ ନୁହେଁ।