କଳିଙ୍ଗନଗର,୨୬।୯(ଶୁଭାଷି ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ବାରବାଙ୍କି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କ ଧାରୁଆ ଟାଙ୍ଗିଆରେ ପ୍ରେମିକ ଗୁରୁତର ହୋଇଛନ୍ତି। ଆହାତ ଯୁବକ ଗ୍ରାମର ସ୍ବର୍ଗତ ସାଲଖାନ ସୋରେନଙ୍କ ପୁଅ ପିଠ (୨୩)। ଉଭୟ ପିଠ ଓ ପାର୍ବତୀ ବଦ୍ରା (୨୪)ଙ୍କ ଘୋଟିଏ ଗ୍ରାମ। ଉଭୟ ଗତ ୩ ସପ୍ତାହ ତଳେ ବିବାହ କରିବାକୁ ନିଷ୍ପତ୍ତି ନେଇ ଏକାଠି ରହିଥିଲେ। ସାମୀ ସ୍ତ୍ରୀ ପରି ଚଳି ଆସୁଥିଲେ ମଧ୍ୟ ପାର୍ବତୀ ପିଠ ହାତରୁ ସିନ୍ଦୂର ପିନ୍ଧିବାକୁ ଦାବି କରି ଆସୁଥିଲେ। ବାରମ୍ବାର କହିବା ପରେ ମଧ୍ୟ ପିଠ ବିବାହ ନ କରିବାରୁ ପାର୍ବତୀ ଏକ ଧାରୁଆ କୁରାଢିରେ ପିଠର ମୁଁହ ଓ ବେକକୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ପିଠକୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ପାର୍ବତୀଙ୍କୁ ଗିରଫ କରିବା ସହିତ ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆକୁ ସେଠାରୁ ଜବତ କରିଥିଲା। ମଙ୍ଗଳବାର ଅପରାହ୍ନରେ ପାର୍ବତୀଙ୍କୁ ଯାଜପୁର ରୋଡ ଅଦାଲତକୁ ଚାଲାଣ କରାଯାଇଛି।

