Categories: ଜାତୀୟ

ମୁହଁରେ ତ୍ରିରଙ୍ଗା ଆଙ୍କିଥିବାରୁ ସ୍ବର୍ଣ୍ଣ ମନ୍ଦିରକୁ ପ୍ରବେଶ ଅନୁମତି ମିଳିଲାନି

ଅମୃତସର,୧୮।୪: ମୁହଁରେ ଜାତୀୟ ପତାକା ଆଙ୍କିଥିବା ଜଣେ ଯୁବତୀଙ୍କୁ ସ୍ବର୍ଣ୍ଣ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ। ଫଳରେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିବା ଯୁବତୀ ଜଣକ ସୋମବାର ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।
ଜଣେ ଗାର୍ଡ ଏହା ପଞ୍ଜାବ ବୋଲି କହୁଥିବା ବେଳେ ମହିଳା ଜଣକ କ’ଣ ଏହା ଭାରତ ନୁହେଁ କି ବୋଲି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଚାରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ଏହାର ଜବାବରେ ଗାର୍ଡ କ୍ରୋଧିତ ହୋଇ ମୁଣ୍ଡ ଟୁଙ୍ଗାରି ତାଙ୍କ କଥାରେ ଅସହମତି ପ୍ରକାଶ କରିଛନ୍ତି। ଯୁବତୀ ଜଣକ ଘଟଣାର ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଗାର୍ଡ ତାଙ୍କଠାରୁ ଫୋନ ଛଡାଇବାକୁ ଚେଷ୍ଟା କରିଥିଲେ। ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ଅଧିକାରୀ ଘଟଣାରେ ଗାର୍ଡଙ୍କ ଦୁର୍ବ୍ୟବହାରକୁ ନେଇ କ୍ଷମା ମାଗିଛନ୍ତି। କିନ୍ତୁ ଦାବି କରିଛନ୍ତି ଯେ ମହିଳାଙ୍କ ମୁହଁରେ ଥିବା ପେଣ୍ଟିଂରେ ନା ଭାରତର ଜାତୀୟ ପତାକା ଥିଲା ନା ଅଶୋକ ଚକ୍ର। ସମସ୍ତ ଧର୍ମର ଭିନ୍ନ ନିୟମ ରହିଛି। ଆମେ ପ୍ରତ୍ୟେକଙ୍କୁ ଏଠାରେ ସ୍ବାଗତ କରୁ ବୋଲି କମିଟି ପକ୍ଷରୁ କୁହାଯାଇଛି।

Share