ଏହି ଯୁବତୀ କରୋନା ଅକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଯୋଗାଉଛନ୍ତି ଭୋଜନ: ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ,୧୩।୫: କରୋନା ଭାଇରସ୍‌ର ବର୍ଦ୍ଧିତ ମାମଲା ମଧ୍ୟରେ ମହାରାଷ୍ଟ୍ରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡ଼ୁଛି ଏବେ ବି ସମାଜରେ ମାନବିକତା ବଞ୍ଚିରହିଛି। ମହାରାଷ୍ଟ୍ରର ଏକ ଗାଁର ଜଣେ ଯୁବତୀ କରୋନା ଆକ୍ରାନ୍ତ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଲକ୍‌ଡାଉନ ଯୋଗୁ ଯେଉଁଠାରେ ରୋଗୀ ଓ ପରିବାରଲୋକଙ୍କୁ ଖାଇବାକୁ ମିଳୁନାହିଁ ସେଠାରେ ଉକ୍ତ ଯୁବତୀ ପ୍ରତିଦିନ ସେମାନଙ୍କୁ ଘର ତିଆରି ଖାଦ୍ୟ ମାଗଣାରେ ଯୋଗାଇଦେଉଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର କସବେ ତଡବାଲେ ଗାଁରେ ରହୁଥିବା ୨୧ ବର୍ଷୀୟା ମନୀଷା ବାଲାଜି ଓ୍ବାଘମାରେ ନାମକ ଜଣେ ଯୁବତୀ ପ୍ରତିଦିନ ନିଜ ସ୍କୁଟିରେ ୩୨ କିଲୋମିଟର ଯାତ୍ରା କରିଥାନ୍ତି। ଯାତ୍ରା ସମୟରେ ସେ ସ୍କୁଟିରେ ପ୍ରାୟ ୧୦୦ ପ୍ୟାକେଟ ଖାଦ୍ୟ ପୁଡା ନେଇ ଓସ୍‌ମାନାବାଦ ଜିଲାର ସରକାରୀ ହସ୍ପିଟାଲର ଥିବା ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ବାଣ୍ଟିଥାନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ କେଉଁଠାରୁ ପ୍ରେରଣା ମିଳିଛି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କିଛି ଦିନ ତଳେ ତାଙ୍କ କକା ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ତାଙ୍କୁ ଖାଇବାକୁ ଖାଦ୍ୟ ଠିକ୍‌ରେ ମିଳି ନ ଥିଲା। ଏଥିସହ କୌଣସି କାରଣବଶତଃ ଘରଲୋକ ମଧ୍ୟ ତାଙ୍କୁ ଖାଦ୍ୟ ପହଞ୍ଚାଇ ପାରୁ ନ ଥିଲେ। ଫଳରେ ଏହିି ଘଟଣା ତାଙ୍କୁ ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥିଲା ବୋଲି ମନୀଷା କହିଛନ୍ତି।

Share