Categories: ଫୁରସତ

୧ ଲକ୍ଷ ୨୦ ହଜାର ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କଠାରୁ ୧୨ଟି ଆମ୍ବ କିଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି ସାମାଜିକ ଗଣମାଧ୍ୟମ। ଏଥିରେ କିଛି ବି ଭାଇରାଲ ହେବା ମାତ୍ରେ ଚର୍ଚ୍ଚାର ବିଷୟକୁ ଆସିଯାଏ। ବାସ୍‌, ଅନେକ କିଛି ପରିବର୍ତ୍ତନ ହୋଇଯାଏ ଏଥିରେ। ସେଭଳି କ୍ରମରେ ଝାରଖଣ୍ଡ ଜାମସେଦପୁରରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ଭାଗ୍ୟ ଖୋଲିଛି ଏହି ସୋସିଆଲ ମିଡିଆ। ୧୧ ବର୍ଷୀୟା ତୁଳସୀ କୁମାରୀଙ୍କ ରାସ୍ତା ଉପରେ ବସି ଆମ୍ବ ବିକିବାର କାହାଣୀ ଭାଇରାଲ ହେବା ପରେ ତାଙ୍କ ସ୍ଥିତି ବଦଳିଯାଇଛି।

ଜଣେ ବ୍ୟକ୍ତି ତୁଳସୀଙ୍କଠାରୁ ୧୨ଟି ଆମ୍ବ କିଣି ତାଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପାଠ ପଢ଼ିବାକୁ ଆଶା ରଖିଥିଲେ ତୁଳସୀ। ହେଲେ କରୋନାକୁ ନେଇ ଲକ୍‌ଡାଉନ୍‌ ଏବଂ ପରିବାରର ଆର୍ଥିକ ସ୍ଥିତି ଯୋଗୁ ସେ ଏକ ସ୍ମାର୍ଟଫୋନ କିଣି ପାରୁ ନ ଥିଲେ। ଏଥିପାଇଁ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା। ହାର ନ ମାନି ଆମ୍ବ ବିକି ଟଙ୍କା ଯୋଗାଡ଼ କରିବାକୁ ନିଷ୍ପତ୍ତି ନେଇଥିଲେ ସେ। ପ୍ରତ୍ୟେହ ସେ ଆମ୍ବ ବିକିବାକୁ ପହଞ୍ଚି ଯାଉଥିଲେ।

ଏହି କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁମ୍ବାଇରେ ରହୁଥିବା ଏକ ପ୍ରତିଷ୍ଠିତ କମ୍ପାନୀର ଉପାଧ୍ୟକ୍ଷ ଅମେୟା ହେତେଙ୍କ ପାଖରେ କଥାଟି ପହଞ୍ଚିଥିଲା। ସେ ତୁଳସୀଙ୍କ ସହାୟତା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଣୁ ଲକ୍ଷାଧିକ ଟଙ୍କା ଦେଇ ଆମ୍ବ କିଣିନେଇଥିଲେ। ସହାୟତା ପାଇ ତୁଳସୀ ବେଶ ଖୁସିଥିବା ବେଳେ ଏକ ସ୍ମାର୍ଟଫୋନ କିଣିଛନ୍ତି। ଅବଶିଷ୍ଟ ଟଙ୍କା ସେ ନିଜର ପାଠପଢ଼ା ପାଇଁ ସାଇତି ରଖିଥିବା ପ୍ରକାଶ କରିଛନ୍ତି।

Share