ଫେସ୍‌ବୁକ୍‌ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି

ଡେରାଡୁନ୍‌,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍‌ବୁକ୍‌ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପୁଅ ବିବାହ କରିବ ନାହିଁ ବୋଲି କହିବାରୁ ମାମଲା ଥାନାରେ ପହଞ୍ଚିଛି। ଥାନା ପରିସରରେ ଉଭୟ ପରିବାର ମଧ୍ୟରେ ଏକ ହାଇଭୋଲଟେଜ୍‌ ଡ୍ରାମା ହୋଇଥିଲା। ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ନ ପାରିବାରୁ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।
୨୨ ବର୍ଷୀୟା ଯୁବତୀ ଜଣକ କୁହନ୍ତି, ଚାରି ବର୍ଷ ତଳେ ୨୫ ବର୍ଷର ଆଦିତ୍ୟ ପ୍ରକାଶଙ୍କ ସହ ତାଙ୍କର ଫେସବୁକରେ ଦୁହିଁଙ୍କ ବନ୍ଧୁତା ବଢ଼ିଥିଲା। ସମୟ ସହିତ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଆଦିତ୍ୟ ବିଡିଏସ୍‌ର ଛାତ୍ର ଥିଲେ। ବେଳେବେଳେ ଦୁହେଁ ବାହାରକୁ ଯାଇ ଏକାଠି ରହୁଥିଲେ। ସେ କହିଛନ୍ତି ଯେ, ଉଭୟେ ୨୦୧୯ରେ ବିବାହ କରିଛନ୍ତି। ଏହା ପରଠାରୁ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ପରି ଜୀବନଯାପନ କରୁଥିଲେ।

ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଆଦିତ୍ୟ ଗତ କିଛି ଦିନ ହେବ ତାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ। ତାଙ୍କ ନମ୍ବର ମଧ୍ୟ ବ୍ଲକ ତାଲିକାରେ ପକାଇ ଦେଇଥିଲେ। ଏହା ପରେ ସେ ଶନିବାର ଡେରାଡୁନ୍‌ର ଗରଓ୍ବା ଯାଇଥିଲେ। ସେ କହିଛନ୍ତି, ଷଷ୍ଠ ଥର ପାଇଁ ଏଠାକୁ ଆସିଛନ୍ତି। ଏଠାକୁ ଆସିବା ପରେ ସେ ସ୍ଥାନୀୟ ବିଶ୍ରାମ ଗୃହରେ ରହିଥିଲେ। ରବିବାର ସକାଳେ ଆଦିତ୍ୟଙ୍କୁ ଭେଟିବାକୁ ବାହାରକୁ ଯାଇଥିଲେ। ସେ ଫରେଷ୍ଟ କଲୋନୀ ନିକଟରେ ଆଦିତ୍ୟଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ, ଯୁବତୀ ଜଣକ ଆଦିତ୍ୟଙ୍କୁ କୋର୍ଟରେ ବିବାହ କରିବାକୁ ଚାପ ପକାଉଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ବିବାଦ ଏତେ ବଢ଼ିଯାଇଥିଲା ଯେ ଉଭୟଙ୍କ ମଧ୍ୟରେ ମାର୍‌ପିଟ୍‌ ଆରମ୍ଭ ହୋଇଯାଇଥିଲା। ଆକ୍ରମଣ ଘଟଣା ପରେ ସେ ସଦର ଥାନାରେ ପହଞ୍ଚି ଆଦିତ୍ୟଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ରାଜୀବ କୁମାର କହିଛନ୍ତି, ପୀଡ଼ିତାଙ୍କଠାରୁ ଏତଲା ଗ୍ରହଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି। ପୀଡିତା ଜଣକ କହିଛନ୍ତି, ସେ ୬ ଭାଇଭଉଣୀ। ନିଜେ ଏକ ଘରୋଇ କମ୍ପାନୀରେ କାମ କରନ୍ତି।

Share