ଗିରୀଶ ମୁର୍ମୁ ଆଇଏଇଏ ଏକ୍ସଟର୍ନାଲ ଅଡିଟର

ଭିଏନା, ୨୬ା୯: ଭାରତର ହିସାବ ନିୟନ୍ତ୍ରକ ଏବଂ ମହାଲେଖା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନ ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି (ଆଇଏଇଏ)ର ଏକ୍ସଟର୍ନାଲ ଅଡିଟର ନିଯୁକ୍ତ ହୋଇଛନ୍ତି। ଭିଏନାରେ ଅନୁଷ୍ଠିତ ଆଇଏଇଏ ସାଧାରଣ ସଭାରେ ବିଭିନ୍ନ ଦେଶ ସେମାନଙ୍କ ପ୍ରାର୍ଥୀ ଦେଇଥିବାବେଳେ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ମୁର୍ମୁ ଏହି ପଦରେ ରହିବେ। ଏହାଦ୍ୱାରା ବିଶ୍ୱସ୍ତରରେ ସିଏଜିର ବିଶ୍ୱସନୀୟତା, ବୃତ୍ତିଗତ ମନୋବୃତ୍ତି ଏବଂ ଅଭିଜ୍ଞତାକୁ ସ୍ବୀକୃତି ମିଳିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଗତ ବର୍ଷ ଅଗଷ୍ଟ ୮ରେ ମୁର୍ମୁ ଭାରତର ସିଏଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ରହିଥିଲେ।

Share