‘ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛ’, ଓଓ୍ବାଇସିଙ୍କ ଉପରେ ବର୍ଷିଲେ ଗିରିରାଜ

ନୂଆଦିଲ୍ଲୀ,୨୨।୪: ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ)ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରେ ଖୁବ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ସେ କହିଛନ୍ତି ଓଓ୍ବାଇସି ଦେଶରେ ଆତଙ୍କବାଦୀ ତିଆରି କରୁଛନ୍ତି ଓ ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ୨୧ ଏପ୍ରିଲରେ ଓଓ୍ବାଇସି ମାଫିଆ ଅତିକ ଅହମଦଙ୍କ ହତ୍ୟାକାଣ୍ଡକୁ ନେଇ ବୟାନ ଦେଇଥିଲେ ଓ ଆକ୍ରମଣକାରୀଙ୍କୁ ଆତଙ୍କବାଦୀ ବୋଲି କହିଥିଲେ।

ଗିରିରାଜ ଏଆଇଏମଆଇଏମ ମୁଖ୍ୟଙ୍କୁ ନେଇ ଦେଇଥିବା ବୟାନରେ କହିଛନ୍ତି, ଓଓ୍ବାଇସି ଦେଶରେ ଆତଙ୍କବାଦୀ ସୃଷ୍ଟି କରୁଛନ୍ତି। ଓଓ୍ବାଇସି ଯେତେବେଳେ ବି କହୁଛନ୍ତି ଜହର ଓଗାଳୁଛନ୍ତି। ଦେଶକୁ ବିଭାଜନ କରିବା କଥା କହୁଛନ୍ତି। ନିଜ ଘରକୁ କାହିଁକି ଦେଖୁ ନାହାନ୍ତି। ତାଙ୍କ ଭାଇ କହୁଛନ୍ତି, ୧୫ ମିନିଟ ପୋଲିସ ହଟିଯାଉ ତେବେ ମୁଁ ଦେଶର ହିନ୍ଦୁଙ୍କୁ କହିଦେବି। ସେ ଆହୁରି ମଧ୍ୟ କହିଛନ୍ତି, ହାଇଦ୍ରାବାଦରେ ମୁଣ୍ଡ ଓ ଶରୀରକୁ ଅଲଗା କରିବା କଥା କହିଥିବା ବ୍ୟକ୍ତିଙ୍କୁ ଓଓ୍ବାଇସି ଜେଲରୁ ମୁକ୍ତ କରାଇଛନ୍ତି। ଜିନ୍ନାଙ୍କ କଥା ତାଙ୍କ ପାଟିରେ ଓ ଦେଶକୁ ଇସଲାମିକ ଷ୍ଟେଟ କରିବାକୁ ଚାହୁଁଛନ୍ତି। ସୁଟର୍ସଙ୍କୁ ଗଡସେ କହୁଥିବା ବେଳେ ଅତିକଙ୍କ ଭଳି ଅପରାଧିଙ୍କୁ ଗାନ୍ଧୀ ବୋଲି କହୁଛନ୍ତି।