ରାଜ୍ୟ ପ୍ରଭାରୀଙ୍କୁ ଭେଟିଲେ ଗିରିଧରଙ୍କ ପରିବାର

ଗୁଣପୁର,୧୪।୧(ପ୍ରଦୀପ କୁମାର ପାଢ଼ୀ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ଏବେ କଂଗ୍ରେସ ଶରଣରେ ପଶିଲା ଭଳି ସ୍ଥିତିରେ ଗିରିଧରଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ହେମା ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶନିବାର ନୂଆଦିଲ୍ଲୀଠାରେ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଛନ୍ତି। ଏହି ଘଟଣା ରାୟଗଡ଼ା କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛି। ଗିରିଧରଙ୍କ ପରିବାର କଂଗ୍ରେସରେ ମିଶିବା ପଥ ସୁଗମ ହେଉଥିବାବେଳେ ଜିଲା ସଭାପତି ତଥା ଗିରିଧରଙ୍କ ଭାଇ ବିଜୟ ଗମାଙ୍ଗଙ୍କ ପାଇଁ ସେମାନେ କଣ୍ଟା ସାଜିପାରନ୍ତି ବୋଲି ଆଲୋଚନା ହେଉଛି।
ଗମାଙ୍ଗ କଂଗ୍ରେସ ଛାଡ଼ି ଭାଜପାରେ ମିଶିବା ଓ ପରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ପୁଣି ତାଙ୍କ ପୁରୁଣା ଦଳକୁ ଫେରିବା ପାଇଁ ମନ ବଳାଇଛନ୍ତି। ସେହିପରି ତାଙ୍କ ସ୍ତ୍ରୀ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ସାମିଲ ହୋଇ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ପରେ ବରିଷ୍ଠ ନେତାଙ୍କ ବିରୋଧରେ ବିଷୋଦ୍‌ଗାର କରି ବିଜେଡି ଛାଡ଼ିବା ସହ ଭାଜପାକୁ ସମର୍ଥନ ଜଣାଇଥିଲେ। ଶେଷରେ ସେ ମଧ୍ୟ ବିଆର୍‌ଏସ୍‌ ଏବଂ ବର୍ତ୍ତମାନ କଂଗ୍ରେସରେ ସାମିଲ ହେବା ପାଇଁ ଲାଗିପଡ଼ିଛନ୍ତି। ସେହିଭଳି ତାଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ିବା ପରେ ଭାଜପାର ରାଜ୍ୟ ସମ୍ପାଦକ ହୋଇଥିଲେ। ପରେ ସେ ୨୦୧୯ରେ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଭାଜପାରେ ମଧ୍ୟ ସେ ବେଶି ଦିନ ତିଷ୍ଠି ପାରି ନ ଥିଲେ। ଶିଶିର ବିଆର୍‌ଏସ୍‌ରେ ମିଶିଥିଲେ ା ଏବେ ସେହି ଦଳ ସହ ମୋହ ତୁଟାଇ ପୁଣି ଥରେ କଂଗ୍ରେସକୁ ଆପଣେଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଗତ ୭ ତାରିଖରେ ହେମା ଗମାଙ୍ଗ ଏବଂ ତାଙ୍କ ପରିବାର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଥିଲ। ହେଲେ ସେମିତି କିଛି ହୋଇପାରି ନ ଥିଲା।
ନୀରବତା ପରେ ପୁଣି ଥରେ ଗମାଙ୍ଗ ପରିବାର ସକ୍ରିୟ ହୋଇଉଠିବା ଜିଲା ରାଜନୀତିକୁ ସରଗରମ କରିଛି। ସବୁ ଠିକ୍‌ଠାକ୍‌ ଘଟି ଯଦି ଗିରିଧରଙ୍କ ପରିବାର କଂଗ୍ରେସରେ ସାମିଲ ହୁଅନ୍ତି, ତେବେ ଜିଲା ସଭାପତି ବିଜୟ ଗମାଙ୍ଗଙ୍କ ଚିନ୍ତା ଆହୁରି ବଢ଼ିଯିବ। ସେମାନଙ୍କ ମିଶ୍ରଣ ବିଜୟଙ୍କ ପାଇଁ କଣ୍ଟା ହୋଇପାରେ ବୋଲି ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏସବୁ ରାଜନୈତିକ ଘଟଣାକ୍ରମ ମଧ୍ୟରେ ସେମାନେ ଯଦି ଦଳରେ ସାମିଲ ହୁଅନ୍ତି ତେବେ ଦଳ ନ ଛାଡ଼ି କଂଗ୍ରେସରେ ରହି କାର୍ଯ୍ୟ କରୁଥିବା ବିଜୟଙ୍କ ସ୍ଥିତି କ’ଣ ହେବ ସେ ନେଇ ଆଲୋଚନା ହେଲାଣି। ବିଜୟଙ୍କ ଭବିଷ୍ୟତ ଓ ରଣନୀତି କ’ଣ ରହୁଛି ତାହା ଏବେ ଦେଖିବାକୁ ବାକି ରହିଲା। ଏନେଇ ଜିଲା ସଭାପତି ବିଜୟ ଗମାଙ୍ଗଙ୍କ ସହ ଯୋଗାଯୋଗ କରାଯିବାରୁ ଗିରିଧରଙ୍କ ପରିବାର ଦଳରେ ମିଶିବା ଖବର ତାଙ୍କ ନିକଟରେ ନାହିଁ, କିମ୍ବା ଆନୁଷ୍ଠାନିକ ଭାବେ କିଛି ଜଣାପଡ଼ି ନାହିଁ। ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରତିକ୍ରିୟା ଦେବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।