ନିୟନ୍ତ୍ରଣ ହରାଇଛି ଅଦା ଦର

ରାଉରକେଲା,୨୫।୬(ସଙ୍ଗୀତା ଜେନା)ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଏହି କ୍ରମରେ ରାଉରକେଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ରାଉରକେଲା ବଜାରରେ ଅଦା ଦର କିଲୋ ପ୍ରତି ୩ଶହରୁ ୩୫୦ ଟଙ୍କାରେ ବିକ୍ରି ହେଉଛି। ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି। ବାହାର ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ବ୍ୟବସାୟୀ କହୁଛନ୍ତି।
ସୂଚନା ଅନୁସାରେ, ରାଉରକେଲାକୁ ନାଗପୁର, ଝାନସୀ, ରାଞ୍ଚି ଆଦି ସ୍ଥାନରୁ ଅଦା ଆସୁଛି। ରାଉରକେଲାରୁ ଓଡ଼ିଶାର କେନ୍ଦୁଝର, ଦେବଗଡ଼ ସମେତ ପଡୋଶୀ ଝାଡ଼ଖଣ୍ଡର ସିମଡେଗା, ଜାମଦା ଆଦି ଅଞ୍ଚଳକୁ ଦୈନିକ ୩/୪ ଟନ ଅଦା ଯୋଗାଣ କରାଯାଉଛି। ରାଉରକେଲାରୁ ଅନ୍ୟ ଅଞ୍ଚଳକୁ ଅଦା ଯୋଗାଣ ହେଉଥିବା ବେଳେ ଏଠାରେ ଖାଉଟିମାନେ ଅଦା କିଲୋ ପ୍ରତି ୩ଶହରୁ ୩୫୦ ଟଙ୍କା ଦରରେ କିଣୁଛନ୍ତି। ପ୍ରକୃତପକ୍ଷେ ହୋଲସେଲ୍‌ରେ ଅଦା ଦର କିଲୋ ପ୍ରତି ୧୭୦ରୁ ୧୮୦ ଟଙ୍କା ରହୁଛି। ଖୁଚୁରା ବ୍ୟବସାୟୀମାନେ ଏହାକୁ ପ୍ରାୟ ୨ଗୁଣା ଅଧିକ ଦରରେ ବିକ୍ରି କରୁଥିବାରୁ ଅଦା ଦର ଆକାଶଛୁଆଁ ହୋଇଛି। ଏହାଦ୍ୱାରା ଖାଉଟିମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଛି।
ଏ ସମ୍ପର୍କରେ ଡେଲି ମାର୍କେଟର ଅଦା ହୋଲ୍‌ସେଲ୍‌ର ମହେଶ୍ୱର ସାହୁ କୁହନ୍ତି, ୪୬ ବର୍ଷ ମଧ୍ୟରେ ଅଦା ଦର ଏତେ ପରିମାଣରେ ବୃଦ୍ଧି ପାଇବା କେବେ ଦେଖି ନ ଥିଲି। ଆମେ ସାଧାରଣତଃ ଖୁଚୁରା ବ୍ୟବସାୟୀ ଅର୍ଥାତ ୨ୟ ପକ୍ଷଙ୍କୁ ଅଦା କେଜି ପିଛା ୧୭୦ରୁ ୧୮୦ ଟଙ୍କାରେ ଦୈନିକ ପ୍ରାୟ ୧୦୦ ବସ୍ତା ବିକ୍ରି କରୁଛୁ। ହେଲେ ସେମାନେ ୩ୟ ପକ୍ଷ ଅର୍ଥାତ ଛୋଟ ବ୍ୟବସାୟୀମାନଙ୍କୁ ଅତି ଚଢ଼ାଦରରେ ବିକ୍ରି କରୁଛନ୍ତି। ସମ୍ପ୍ରତି ପରିବହନରେ ଖର୍ଚ୍ଚ କାଟ କରିବାକୁ ଟ୍ରକ୍‌ ପରିବର୍ତ୍ତେ ଟ୍ରେନରେ ମାଲ୍‌ ଆସୁଛି। କିଛି ଦିନ ମଧ୍ୟରେ କୋରାପୁଟରୁ ନୂତନ ଅଦା ଆସିବା ପରେ ଦର ହ୍ରାସ ପାଇବ। ପ୍ରତ୍ୟେକ ବର୍ଷ ଆସାମରୁ ସିଲିଗୁଡ଼ି ଦେଇ ଅଦା ଆସିଥାଏ। ଅମଳ ସମୟରେ ଦର କମ୍‌ ଥିବାବେଳେ ଚଳିତ ଥର ବନ୍ୟା ଓ ବର୍ଷା ଫସଲ ନଷ୍ଟ କରିଦେଲା। ଯେଉଁଠାରେ ଚାଷ ହୋଇଛି ସେଠାରେ ଉତ୍ପାଦନ କମ୍‌ ରହିଛି ବୋଲି ସାହୁ କହିଛନ୍ତି। ସେହିପରି ପାନପୋଷ ନିୟନ୍ତ୍ରିତ ବଜାର କମିଟିର ସୁପରଭାଇଜର ଶ୍ରୀକାନ୍ତ ଗୁମାନସିଂହ କୁହନ୍ତି, ଅଦା ଚାଷ ହେଉଥିବା ଗୁଜୁରାଟ, ରାଞ୍ଚତ୍, ଆସାମରେ ଫସଲ ନଷ୍ଟ ଯୋଗୁ ସାରା ଦେଶରେ ଅଦା ଦର ବୃଦ୍ଧି ପାଇଛି। ଏହା ଆମ ହାତରେ ନାହିଁ। ତେବେ ନୂତନ ଫସଲକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଥିଲେ।