ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ସେମାନଙ୍କ ଲକ୍ଷ୍ୟ ହେଉଛି ମଙ୍ଗଳବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ଜିତି ସିରିଜ ନିଜ ନାମରେ କରିବା। ଭାରତୀୟ ଦଳ ଯେଭଳି ଧରଣର କ୍ରିକେଟ ପ୍ରଦର୍ଶନ କରିଛି, ତାହା ଦେଖିଲେ ତୃତୀୟ ମ୍ୟାଚ ଜିତିବାରେ ସେମାନଙ୍କୁ କୌଣସି ଅସୁବିଧା ହେବାର ସମ୍ଭାବନା କମ; ତଥାପି, ଇତିହାସ କିଛି ଅଲଗା କଥା କହୁଛିଯାହା ଗିଲଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ହାମିଲଟନର ସେଡନ ପାର୍କରେ ଖେଳାଯିବ। ବିଜୟୀ ହେବା ପାଇଁ ଗିଲଙ୍କ ଦଳ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ। ଯଦି ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ମ୍ୟାଚ ଜିତିଯାଏ, ତେବେ ଏହା ୧୭ ବର୍ଷର ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇବ।
ସେଡନ ପାର୍କଯେଉଁଠାରେ ଭାରତର ଆଗାମୀ ମ୍ୟାଚ ଅନୁଷ୍ଠିତ ହେବସେଠାରେ ଭାରତୀୟ ଦଳର ରେକର୍ଡ ବିଶେଷ ଭଲ ନାହିଁ। ଏହି ପଡ଼ିଆରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଆଠଟି ଦିନିକିଆ ମ୍ୟାଚ ମଧ୍ୟରୁ ଭାରତ ଛଅଟିରେ ପରାଜିତ ହୋଇଛି ଏବଂ ଗୋଟିଏ ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି। ଭାରତ ଏଠାରେ କେବଳ ଗୋଟିଏ ମ୍ୟାଚ ଜିତିପାରିଛି; ଏହି ଏକମାତ୍ର ବିଜୟ ୨୦୦୯ ମସିହା ମାର୍ଚ୍ଚ ୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ମିଳିଥିଲା। ସେହି ମ୍ୟାଚରେ ଗୌତମ ଗମ୍ଭୀର ଦଳରେ ଥିଲେ ଏବଂ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୮୪ ରନରେ (ଡକୱର୍ଥ-ଲୁଇସ ନିୟମ ଆଧାରରେ) ପରାସ୍ତ କରିଥିଲା।
୨୦୦୯ ପରେ ମଧ୍ୟ ଧୋନି ଏହି ପଡ଼ିଆରେ ଦଳର ନେତୃତ୍ୱ ନେଇଥିଲେ, କିନ୍ତୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଏକ ବିଜୟ ହାସଲ କରିପାରିନଥିଲେ। ରୋହିତ ଶର୍ମା, ବିରାଟ କୋହଲି ଏବଂ ଶିଖର ଧୱନ ମଧ୍ୟ ଏହି ପଡ଼ିଆରେ ଦଳର ଅଧିନାୟକତ୍ୱ କରିଛନ୍ତି, କିନ୍ତୁ କେହି ବି ଦଳକୁ ବିଜୟୀ କରାଇ ପାରିନାହାନ୍ତି। ୨୦୧୯ ମସିହା ମାର୍ଚ୍ଚ ୩୧ରେ ରୋହିତ ଶର୍ମା ଅଧିନାୟକତ୍ୱ କରିଥିଲେ ମଧ୍ୟ ଦଳ ଜିତିପାରିନଥିଲା। ସେହିପରି ୨୦୨୦ ମସିହା ଫେବୃଆରୀ ୫ରେ ବିରାଟ କୋହଲି ଅଧିନାୟକ ଥିଲେ, କିନ୍ତୁ ସେହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ଚାରି ୱିକେଟରେ ପରାସ୍ତ କରିଥିଲା। ସର୍ବଶେଷରେ, ୨୦୨୨ ମସିହା ନଭେମ୍ବର ୨୭ରେ ଶିଖର ଧୱନ ଏହି ପଡ଼ିଆରେ ଦଳର ନେତୃତ୍ୱ ନେଇଥିଲେ, କିନ୍ତୁ ବର୍ଷା କାରଣରୁ ମ୍ୟାଚଟି ବାତିଲ ହୋଇଯାଇଥିଲା।

Dharitri – Odisha’s No.1, Most Trusted Odia Daily

Share