ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦମ୍ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ତେବେ ଶତକରୁ ମାତ୍ର ୨ ରନ ଦୂରରେ ରହିଯାଇଛନ୍ତି ସେ। ୧୪୬ଟି ବଲ୍ରୁ ୯ଟି ଚୌକା ଓ ୨ଟି ଛକା ସହ ୯୮ ରନ କରିଥିବା ଗିଲ ଦିନର ଶେଷ ଓଭରରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଜ୍ୟାକବ ଡଫିଙ୍କ ବଲରେ ବୋଲ୍ଡ ହୋଇଥିଲେ। ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଇନିଂସରେ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC)ରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।
ଶୁବମନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭାରତ ପକ୍ଷରୁ ସର୍ବାଧିକ ରନ କରିଥିବା ବ୍ୟାଟର୍ଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଟେଷ୍ଟର ତୃତୀୟ ଦିନର ତୃତୀୟ ସେସନର ସେ ନିଜର ୩୦୦୦ WTC ରନ ପୂରଣ କରିଥିଲେ। WTC ଇତିହାସରେ ୩୦୦୦ ରନ୍ର ମାଇଲଖୁଣ୍ଟ ଛୁଇଁବାରେ ଗିଲ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟର। ଏହି ମ୍ୟାଚ ପୂର୍ବରୁ ଏହି ରେକର୍ଡ ହାସଲ ପାଇଁ ତାଙ୍କୁ ଆଉ ୮୩ ରନ୍ର ଆବଶ୍ୟକତା ଥିଲା। ନିଜ ଇନିଂସର ୧୧୭ତମ ବଲ୍ରେ ୮୩ତମ ରନ କରିବା ସହ ସେ ଏହି ଐତିହାସିକ ଉପଲବ୍ଧି ହାସଲ କରିଥିଲେ। ଶତକରୁ ମାତ୍ର ୨ ରନ ଦୂରରେ ଆଉଟ ହେବା ସହ ଗିଲଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ମଧ୍ୟ ଯୋଡ଼ି ହୋଇଛି। ତାଙ୍କ ଟେଷ୍ଟ କ୍ୟାରିୟରରେ ଚତୁର୍ଥ ଥର ପାଇଁ ସେ ୯୦ରୁ ୯୯ ରନ ମଧ୍ୟରେ ଆଉଟ ହୋଇଛନ୍ତି। ଏହାସହ ଗତ ୮ ବର୍ଷ ମଧ୍ୟରେ ପ୍ରଥମ ଥର କୌଣସି ଭାରତୀୟ ଟେଷ୍ଟ ଅଧିନାୟକ ନର୍ଭସ ନାଇଣ୍ଟିଜ୍ର ଶିକାର ହୋଇଛନ୍ତି। ଗିଲଙ୍କ ପୂର୍ବରୁ ୨୦୧୮ରେ ଇଂଲଣ୍ଡ ଗସ୍ତ ସମୟରେ ବିରାଟ କୋହଲି ଏଭଳି ଭାବେ ଆଉଟ ହୋଇଥିଲେ।
ଶୁବମନ ଗିଲ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଭାରତୀୟ ବ୍ୟାଟରଙ୍କ ପାଇଁ ତୃତୀୟ ଦିନଟି ବେଶ ସଫଳ ରହିଥିଲା। ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ଟି ଉଇକେଟ ହରାଇ ୪୮୬ ରନ ସଂଗ୍ରହ କରିଛି। ପ୍ରଥମ ଇନିଂସ ଆଧାରରେ ଭାରତ ଏବେ ୧୧୮ ରନ୍ର ଅଗ୍ରଣୀ ହାସଲ କରିଛି।