ICCର ଏହି ନିୟମକୁ ନେଇ ରାଗିଗଲେ ଗିଲ୍‌: ଏତେ ବର୍ଷ ପରେ ମଧ୍ୟ କାହିଁକି…

ନୂଆଦିଲ୍ଲୀ,୨୩।୧୧: ICCର ଏକ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ବଲ ଚମକାଇବା ପାଇଁ ଲାର୍‌ (Saliva) ବ୍ୟବହାର ଉପରେ ଲାଗିଥିବା କଟକଣାକୁ ନେଇ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ପ୍ରଶ୍ନ କରିଛନ୍ତି। କୋଭିଡ ମହାମାରୀ ଶେଷ ହେବାର ଏତେ ବର୍ଷ ପରେ ମଧ୍ୟ ଏହି ନିୟମ କାହିଁକି ଜାରି ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଡ୍ର’ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଗିଲ ଏହି ମତ ରଖିଛନ୍ତି। ବଲ୍‌କୁ ଚମକାଇବା ପାଇଁ ଲାର୍‌ ବ୍ୟବହାର ଉପରେ କଟକଣା ଜାରି ରଖିବାର କାରଣ ସେ ବୁଝିପାରୁନାହାନ୍ତି ବୋଲି ଗିଲ୍‌ କହିଛନ୍ତି।

କୋଭିଡ-୧୯ ମହାମାରୀ ସମୟରେ ୨୦୨୦ ମସିହା ମେ’ ମାସରେ ICC ବଲ ଚମକାଇବା ପାଇଁ ଲାର୍‌ ବ୍ୟବହାର ଉପରେ ଅସ୍ଥାୟୀ କଟକଣା ଲଗାଇଥିଲା। ସଂକ୍ରମଣର ଆଶଙ୍କା କମାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପରେ ୨୦୨୨ ସେପ୍ଟେମ୍ବରରେ ଏହି କଟକଣାକୁ ସ୍ଥାୟୀ କରାଯାଇଥିଲା। ବର୍ତ୍ତମାନ ଖେଳାଳିମାନେ ବଲ ଚମକାଇବା ପାଇଁ ଝାଳ ବ୍ୟବହାର କରିପାରୁଛନ୍ତି, କିନ୍ତୁ ଲାର୍‌ ବ୍ୟବହାର କରିବାକୁ ଅନୁମତି ନାହିଁ। ଏହାକୁ ନେଇ ଗିଲ ଅସନ୍ତୋଷ ପ୍ରକାଶ କରିଛନ୍ତି।

କ୍ରିକେଟ୍‌ରେ ବୋଲରମାନେ ବଲ୍‌ର ଗୋଟିଏ ପାର୍ଶ୍ୱକୁ ଚମକାଇବା ପାଇଁ ଲାର୍‌ ଓ ଝାଳ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ବଲ୍‌ର ଦୁଇ ପାର୍ଶ୍ୱ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହୁଏ। ଫଳରେ ବଲ୍‌କୁ ସୁଇଂ କରାଇବା ସହଜ ହୋଇଥାଏ। ବିଶେଷ କରି ରିଭର୍ସ ସୁଇଂ ହାସଲ କରିବାରେ ବଲ୍ର ଗୋଟିଏ ପାର୍ଶ୍ୱର ଚମକ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଲାଲ ବଲ କ୍ରିକେଟ୍‌ରେ ଏହାର ଅଧିକ ଗୁରୁତ୍ୱ ରହିଛି। କାରଣ ଟେଷ୍ଟ ମ୍ୟାଚ୍ରେ ବଲ ଦୀର୍ଘ ସମୟ ଧରି ବ୍ୟବହାର ହୋଇଥାଏ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଡ୍ର’ ହେବାକୁ ନେଇ ମଧ୍ୟ ଗିଲ ନିରାଶା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଭାରତୀୟ ଦଳ ଯେଉଁ ଫଳାଫଳ ଚାହୁଁଥିଲା ତାହା ମିଳିନାହିଁ। ବର୍ତ୍ତମାନ କ୍ରିକେଟ୍‌କୁ ଟେଷ୍ଟ ମ୍ୟାଚ ଡ୍ର’ ହେବା ସାଧାରଣ ଘଟଣା ନୁହେଁ। ତେଣୁ ଏଭଳି ଫଳାଫଳରେ ଦଳ ଅଭ୍ୟସ୍ତ ନୁହେଁ ବୋଲି ସେ କହିଛନ୍ତି।

ବେସିନ ରିଜର୍ଭର ଫ୍ଲାଟ ପିଚ ଭାରତୀୟ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ ଓ ଗ୍ଲେନ ଫିଲିପ୍ସ ଦୃଢ଼ ବ୍ୟାଟିଂ କରି ଭାରତର ବିଜୟ ଆଶାକୁ ଧକ୍କା ଦେଇଥିଲେ। ମିଚେଲ ୧୮୭ ବଲ୍‌ରୁ ଅପରାଜିତ ୪୯ ରନ କରିଥିବା ବେଳେ ଫିଲିପ୍ସ ୧୨୬ ବଲ୍‌ରୁ ଅପରାଜିତ ୨୬ ରନ କରିଥିଲେ।

ଏହି ଡ୍ର’ ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଦୌଡ଼ରେ ଭାରତକୁ ଝଟକା ଲାଗିଛି। ଭାରତର ପଏଣ୍ଟ ପ୍ରତିଶତ ୫୧.୫୨ରୁ ହ୍ରାସ ପାଇ ୫୦ ପ୍ରତିଶତରେ ପହଞ୍ଚିଛି। ତଥାପି ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୭୫ ପ୍ରତିଶତ ସହ ପ୍ରଥମ ଓ ଅଷ୍ଟ୍ରେଲିଆ ୬୯.୨୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି।

 

Dharitri – Odisha’s No.1 Odia Daily

 

Share