Categories: ଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ଉପହାର ସୁଅ: ବିହାରର ୪୫ ହଜାରରୁ ଅଧିକ ଗାଁରେ ବିଛାଯିବ ଅପ୍ଟିକାଲ ଫାଇବର

ପାଟନା, ୨୧।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମନୋଲୋଭାଣିଆ ପ୍ରତିଶ୍ରୁତି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାରରେ ୯ଟି ରାଜମାର୍ଗ ପରିଯୋଜନାର ଶିଳାନ୍ୟାସ କରିଛନ୍ତି। ରାଜମାର୍ଗ ପରିଯୋଜନାରେ ୩୫୦ କିଲୋମିଟର ସଡ଼କ ପଥର ବିକାଶ କାର୍ଯ୍ୟ ସମ୍ପନ୍ନ କରାଯିବ। ଏଥିଲାଗି ୧୨ ହଜାର ୨୫୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଏହା ସହିତ ‘ଘର ତକ୍‌ ଫାଇବର ପ୍ରକଳ୍ପ’ ଅନ୍ତର୍ଗତ ଏକ ପରିଯୋଜନାର ମଧ୍ୟ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ କରିଛନ୍ତି। ଏହି ପରିଯୋଜନାରେ ବିହାରର ୪୫ ହଜାର ୯୪୫ ଗାଁରେ ଅପ୍ଟିକାଲ ଫାଇବର ବିଛା ଯିବା କାର୍ଯ୍ୟ ସମ୍ପନ୍ନ ହେବ। ଗାଁରେ ଡିଜିଟାଲ ସୁବିଧା ଉପଲବ୍ଧ କରାଇବା ଲାଗି ୩୪ ହଜାର ୮୨୧ କମନ୍‌ ସର୍ଭିସ୍‌ ସେଣ୍ଟର ସ୍ଥାପିତ କରାଯିବ। ଏସବୁ ଅଞ୍ଚଳରେ କାର୍ଯ୍ୟ କରୁଥିବା ସରକାରୀ ପ୍ରାଇମେରୀ ସ୍କୁଲ୍‌ ଏବଂ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ଗୋଟିଏ ଓ୍ବାଇ-ଫାଇ ଏବଂ ୫ଟି ମାଗଣା କନେକଶନ୍‌ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂରେ ସୂଚନା ଦେଇଛନ୍ତି।

Share