ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ ପ୍ରତ୍ୟକ୍ଷ କରିଛନ୍ତି। ପୃଥିବୀଠାରୁ ପ୍ରାୟ ୨.୫ ନିୟୁତ ଆଲୋକବର୍ଷ ଦୂରରେ ଅବସ୍ଥିତ ଆଣ୍ଡ୍ରୋମେଡା ଗାଲାକ୍ସିର ବାହ୍ୟ ଅଞ୍ଚଳରେ ଏହି ମହାଜାଗତିକ ଘଟଣା ଘଟିଛି।
କଲମ୍ବିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ବିରାଜ କରମ୍ବେଲକରଙ୍କ ନେତୃତ୍ୱରେ ଏକ ଗବେଷକ ଟିମ୍‌ ନାସାର ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପ ଏବଂ ଅନ୍ୟାନ୍ୟ ଟେଲିସ୍କୋପ ସହାୟତାରେ ଏହି ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଗବେଷଣା ଅନ୍ତର୍ଜାତୀୟ ପତ୍ରିକା ‘ନେଚର’ରେ ପ୍ରକାଶିତ ହୋଇଛି।
ବୈଜ୍ଞାନିକମାନେ ଏହି ଯୁଗଳ ତାରା ପ୍ରଣାଳୀର ନାମ ‘ବାଓ’ ବା ‘ଏଟି ୨୦୨୫ ଏବିଏଓ’ ରଖିଛନ୍ତି। ଏଥିରେ ଥିବା ମୁଖ୍ୟ ବିଶାଳ ତାରାଟି (ବିଗ୍‌ ବାଓ) ସୂର୍ଯ୍ୟଠାରୁ ପ୍ରାୟ ୭ ଗୁଣ ଅଧିକ ବସ୍ତୁତ୍ୱ ବିଶିଷ୍ଟ, ଆକାରରେ ୩୫୦ ଗୁଣ ବଡ଼ ଏବଂ ୧୮,୦୦୦ ଗୁଣ ଅଧିକ ଉଜ୍ଜ୍ୱଳ ଥିଲା। ଏହାର ଚାରିପଟେ ସୂର୍ଯ୍ୟଠାରୁ ସାମାନ୍ୟ ଛୋଟ ଏକ ସାଥୀ ତାରା (ଲିଟିଲ ବାଓ) ପରିକ୍ରମା କରୁଥିଲା।
ରିପୋର୍ଟ ଅନୁଯାୟୀ, ବିଶାଳ ତାରାଟି ନିଜ ଜୀବନର ଅନ୍ତିମ ପର୍ଯ୍ୟାୟରେ ଫୁଲିଉଠିବା ପରେ ନିଜ ସାଥୀ ତାରାକୁ ତା’ର ବାହ୍ୟ ଆବରଣ ଭିତରକୁ ଟାଣିନେଇଥିଲା। ଘର୍ଷଣ ଯୋଗୁ ଛୋଟ ତାରାଟି ମାତ୍ର ୭ବର୍ଷ (୭ଟି ପରିକ୍ରମା) ମଧ୍ୟରେ ବିଶାଳ ତାରାର କେନ୍ଦ୍ର ଭିତରକୁ ପଶିଯାଇଥିଲା ଏବଂ ୨୦୨୫ ଶେଷ ଭାଗରେ ଏକ ପ୍ରଚଣ୍ଡ ବିସ୍ଫୋରଣ ସହ ଉଭୟ ତାରା ମିଶି ଗୋଟିଏ ତାରାରେ ପରିଣତ ହୋଇଥିଲେ।
ପୂର୍ବରୁ ବୈଜ୍ଞାନିକମାନେ କେବଳ ଅନୁମାନ କରୁଥିଲେ ଯେ ବୃହତ୍‌ ତାରାମାନେ ଏପରି ଭାବେ ନିଜ ସାଥୀ ତାରାକୁ ଗିଳିପାରନ୍ତି, କିନ୍ତୁ ପ୍ରଥମ ଥର ପାଇଁ ଏହାକୁ ପ୍ରତ୍ୟକ୍ଷ ଭାବେ ଦେଖାଯାଇଛି। ଏହି ଆବିଷ୍କାର ତାରାମାନଙ୍କର ଜୀବନଚକ୍ର ଏବଂ ମହାକାଶର ରହସ୍ୟ ବୁଝିବାରେ ଏକ ନୂଆ ଦିଗ ଖୋଲିଦେଇଛି।

 

Dharitri – Odisha’s No.1 Odia Daily

 

Share