Categories: ଜାତୀୟ

‘ଘର ଲୋକ ହିଁ ଘର ଛାଡିବାକୁ କଲେ ବାଧ୍ୟ’

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ଛାଡିବା ପରେ ପ୍ରଥମଥର ଗୁଲାମ ନବୀ ଆଜାଦ ଗଣମାଧ୍ୟମ ଜରିଆରେ ଦଳ ଉପରେ ବର୍ଷିଛନ୍ତି। କିଏ ନିଜେ ପରିବାର ଛାଡିବାକୁ ଚାହେଁ। ମୋତେ କଂଗ୍ରେସ ଲୋକ ହିଁ ଦଳ ଛାଡିବାକୁ ବାଧ୍ୟ କରିଥିଲେ। ଯେତେବେଳେ ପରିବାର ଲୋକଙ୍କୁ ଲାଗେ ଯେ ଏହି ଲୋକ ଆଉ ଦରକାର ନାହିଁ ଏବଂ ଆମକୁ ସେଠାରେ ପର ବୋଲି କୁହାଯାଏ। ଏପରି ପରିସ୍ଥିତିରେ ପରିବାରରେ ରହୁଥିବା ବ୍ୟକ୍ତି ସେଠାରୁ ଚାଲିଯିବା ଉଚିତ ବୋଲି ସୋମବାର ଆଜାଦ କହିଛନ୍ତି।
ଏଥିସହ ଗୁଲାମ ନବୀ ଆଜାଦ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଚର୍ଚ୍ଚାକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ସେହି ବ୍ୟକ୍ତି (ରାହୁଲ ଗାନ୍ଧୀ) ଯିଏ ଲୋକ ସଭାରେ ଭାଷଣ ଶେଷ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରନ୍ତି, ସେ ସାକ୍ଷାତ କରିଛନ୍ତି କି ମୁଁ ସାକ୍ଷାତ କରିଛି ପ୍ରଥମେ ଆପଣମାନେ କୁହନ୍ତୁ। ମୋଦି ଏକ ବାହାନା, ଜି୨୩ ପକ୍ଷରୁ ଚିଠି ଲେଖାଯିବା ପରଠାରୁ ମୋ ସହ ରାହୁଲଙ୍କର ବିବାଦ ରହିଛି। ସେ କେବେ ବି ଚାହୁଁ ନ ଥିଲେ ଯେ କେହି ତାଙ୍କୁ ପ୍ରଶ୍ନ କରନ୍ତୁ।
ସେହିପରି କଂଗ୍ରେସର ବରିଷ୍ଠ ଜୟରାମ ରମେଶଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଆଜାଦ। ରମେଶଙ୍କ ନାଁ ନ ନେଇ ଆଜାଦ କହିଛନ୍ତି, ସେ କେଉଁଠାରେ ଅଛନ୍ତି ଏବଂ କେଉଁ ଦଳରୁ ଆସିଛନ୍ତି, ସର୍ବପ୍ରଥମେ ତାଙ୍କୁ ତାଙ୍କର ଡିଏନଏ ଯାଞ୍ଚ କରିବା ଉଚିତ। ଖାଲି ଟୁଇଟ୍‌ ପୋଷ୍ଟ କରି ପଦବୀ ମିଳିଯାଉଥିବା ବ୍ୟକ୍ତି ଯଦି ଏଭଳି ଆଚରଣ କରନ୍ତି ତେବେ ଦୁଃଖ ଲାଗେ। କଂଗ୍ରେସକୁ ଏବେ ପ୍ରାର୍ଥନା ନୁହେଁ, ଔଷଧ ଆବଶ୍ୟକ। କଂଗ୍ରେସରେ କମ୍ପାଉଣ୍ଡର ଏବେ ଡାକ୍ତର କାମ କରୁଛନ୍ତି। କିନ୍ତୁ ଏବେ ଦଳକୁ ବିଶେଷଜ୍ଞଙ୍କର ଆବଶ୍ୟକତା ରହିଛି।
ଭାଜପାରେ ଯୋଗ ଦେବା ଚର୍ଚ୍ଚା ଉପରେ ମଧ୍ୟ ସେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାଜପାରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ। ନିଜେ ଦଳ ଗଢି ଜମ୍ମୁ-କଶ୍ମୀରର ନିର୍ବାଚନକୁ ଓହ୍ଲାଇବେ ବୋଲି ଗୁଲାମନବୀ ସ୍ପଷ୍ଟ କରିଛନ୍ତି।

Share