ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ ଦେଖାଯାଇଛି। ଅନେକ ଅନ୍ତେବାସୀ ନାନା ରୋଗରେ ପୀଡ଼ିତ ହେବା ପରେ ଭୟର ବାତାବରଣ ଖେଳିଯାଇଥିଲା। ଫଳରେ ବହୁ ସଂଖ୍ୟାରେ ଅନ୍ତେବାସୀ ଭୟଭୀତ ହୋଇ ହଷ୍ଟେଲ ଛାଡ଼ି ଘରକୁ ପଳାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ଛାତ୍ରୀନିବାସରେ କେତେଜଣ ଛାତ୍ରୀଙ୍କ ମୁଣ୍ଡ ବୁଲାଇବା, ଗୋଡ଼ ଟାଣିହେବା, ଜ୍ୱର ଆସିବା ପ୍ରଭୃତି ଲକ୍ଷଣ ଦେଖାଯାଇଥିଲା। ହଷ୍ଟେଲରେ ଭୂତ ଥିବା, ତାହାରି ପ୍ରଭାବରେ ଏଭଳି ହେଉଥିବା ଗୁଜବ ପ୍ରଚାର ହୋଇଥିଲା। ଅଭିଭାବକ ପିଲାଙ୍କଠାରୁ ଏ ସମ୍ପର୍କରେ ଖବର ପାଇ ଘରକୁ ନେଇଯାଇଥିଲେ। ଅଞ୍ଚଳର ଜଣେ ଅଭିଭାବକ ନାମ ଗୋପନ ରଖି କହିଛନ୍ତି, ଅବିଶ୍ବାସ ଲାଗୁଥିଲେ ମଧ୍ୟ ନିଜ ପିଲାର କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସେ ନିଜ ଝିଅକୁ ସେଠାରୁ ଘରକୁ ନେଇ ଆସିଥିଲେ। ପରେ ଉକ୍ତ ବିଦ୍ୟାଳୟରେ ଜଣେ ପରେ ଜଣେ କ୍ରମାଗତ ଭାବେ ଅସୁସ୍ଥହେବା ଦେଖା ଯାଇଥିଲା। ଛାତ୍ରୀନିବାସରେ ଭୂତ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଯୋଡ଼ା ବ୍ଲକ୍‌ର ଜୁରୁଡ଼ି, କାରା ପ୍ରଭୃତି ପଞ୍ଚାୟତର ଛାତ୍ରୀମାନେ ଭୟରେ ସ୍କୁଲ ଛାଡ଼ି ଦେଇଥିବା କୁହାଯାଉଛି। ଅନ୍ୟପକ୍ଷେ ସ୍କୁଲ ପରିବେଶ ଦେଖି ଜଣାପଡ଼ିଥିଲା ଯେ, ସ୍କୁଲଟି ଜଙ୍ଗଲ ପରିବେଶ ମଧ୍ୟରେ ଅବସ୍ଥିତ। ଘାସବୁଦା ଏବଂ ଆବର୍ଜନାରେ ଭର୍ତ୍ତି ହୋଇଛି। ଛାତ୍ରୀ ନିବାସରେ ପୂର୍ବରୁ ପ୍ରାୟ ୧୧୦ ଜଣ ଛାତ୍ରୀ ରହୁଥିବା ବେଳେ ବର୍ତ୍ତମାନ ୨୦ ରୁ ୨୨ ଜଣ ରହୁଛନ୍ତି। ହଷ୍ଟେଲରେ ଅତି ନିମ୍ନମାନର ଖାଦ୍ୟ ମଧ୍ୟ ଦିଆଯାଉଥିବା ଛାତ୍ରୀ ଅଭିଯୋଗ କରିଛନ୍ତି। ଫଳରେ ଛାତ୍ରୀମାନେ କୁପୋଷଣର ଶିକାର ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏ ସମସ୍ତ ବିଷୟ ଅବଗତହେବା ପରେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଫକିର ମୋହନ ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଭୂତ ପ୍ରେତ ଭଳି ଅନ୍ଧବିଶ୍ୱାସ ରହିଛି। ଅସୁସ୍ଥ ଥିବା ଛାତ୍ରୀଙ୍କୁ ଔଷଧ ଦିଆଯାଇଛି। ତେବେ ପ୍ରାୟ ୬ ଜଣ ଛାତ୍ରୀଙ୍କୁ ଅଭିଭାବକ ଘରକୁ ନେଇଯାଇଛନ୍ତି। ଅନ୍ତେବାସୀଙ୍କୁ ସଚେତନ କରାଯାଇ ଭୟଭୀତ ନ ହେବାକୁ କୁହାଯାଉଛି। ଏଥିସହ ନିୟମ ଅନୁଯାୟୀ ଖାଦ୍ୟ ପରଷା ଯାଉଥିବା କହିଥିଲେ।

Odisha’s No.1 Odia Daily

Share