Categories: ଜାତୀୟ

ମୁଖତାର ଅଂସାରିଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୧୦ ବର୍ଷ ଜେଲ

ଗାଜିପୁର,୧୫ ।୧୨; ମଉର ପୂର୍ବତନ ବିଧାୟକ ଓ ମାଫିଆ ମୁଖତାର ଅଂସାରିଙ୍କୁ ଗୁରୁବାର କୋର୍ଟ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁର୍ବତନ ବିଧାୟକଙ୍କୁ ଏହି ସଜା ଗାଜିପୁରର ଏମପି-ଏମଏଲଏ କୋର୍ଟ ଶୁଣାଇଛନ୍ତି । କୋର୍ଟରେ ଗୁରୁବାର ଗ୍ୟାଙ୍ଗଷ୍ଟର ଆକ୍ଟରେ ମୁଖତାର ଅଂସାରି ଓ ଭିମ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସଜା ଶୁଣାଇଛନ୍ତି ।ଏଥିରେ ତାଙ୍କୁ ୧୦ ବର୍ଷ ଜେଲ ସହ ୫ ଲକ୍ଷ ଟଙ୍କାର ଜରିମାନା କରାଯାଇଛି ।
ପୂର୍ବାଞ୍ଚଳର ମାଫିଆ ବିଧାୟକ ମୁଖତାର ଅଂସାରିଙ୍କ ବିରୋଧରେ ୧୯୯୬ରେ ଗ୍ୟାଙ୍ଗଷ୍ଟର ମାମଲାରେ ଗୁରୁବାର କୋର୍ଟ ସଜା ଶୁଣାଇଛନ୍ତି । ଗାଜିପୁରର ସ୍ପେଶାଲ ଏମପି ଏମଏଲଏ କୋର୍ଟ ଦିନ ପ୍ରାୟ ୨ଟା ୩୦ରେ ରାୟ ଶୁଣାଇଥିଲେ । ରାୟ ଶୁଣାଣି ସମୟରେ କୋର୍ଟରେ ମୁଖତାର ଅଂସାରି ଉପସ୍ଥିତ ନ ଥିଲେ । ମୁଖତାର ଅଂସାରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଷ୍ଟଡିରେ ଥିବା ସହ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଗାଜିପୁର କୋର୍ଟକୁ ପଠାଯାଇ ନ ଥିଲା । ସେଥିପାଇଁ ପ୍ରୟାଗରାଜରେ ଥିବା ଇଡି କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯାଇଥିଲା ।
ସୂଚନାଯୋଗ୍ୟ, ୧୯୯୬ରେ ମୁଖତାର ଅଂସାରଙ୍କ ବିରୋଧରେ ଏହି ଗ୍ୟାଙ୍ଗଷ୍ଟର ମାମଲା ଦାୟର କରାଯାଇଥିଲା । ୫ଟି ମାମଲା ଆଧାରରେ ମୁଖତାରଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କଂଗ୍ରେସ ନେତା ଅଜୟ ରାୟଙ୍କ ବଡ ଭାଇ ଅବଧେଶ ରାୟଙ୍କ ହତ୍ୟା ମାମଲା ଓ ଆଡିସନାଲ ଏସପିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଉକ୍ତ ୫ ମାମଲା ମଧ୍ୟରୁ ଅନ୍ୟତମ ।
ଅନ୍ୟପଟେ ମୁଖତାର ଅଂସାରି ଇଡି ଅଧିକାରୀଙ୍କୁ ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ ତାଙ୍କୁ ପଚରା ଉଚରା କରନ୍ତୁ ନାହିଁ ବୋଲି ଅନୁରୋଧ କରିଥିଲେ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇଡିର ଅଧିକାରୀମାନେ ମୁଖତାରଙ୍କ ଏହି କଥାକୁ ଗ୍ରହଣ କରିଥିଲେ । ତେଣୁ ଗୁରୁବାର ତାଙ୍କୁ ପଚରା ଉଚରା କରାଯାଇ ନାହିଁ ।

Share