ଦାରିଙ୍ଗବାଡ଼ି,୨୪।୧୧: ଦୀର୍ଘ ୨୮ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗାଜଲବାଡ଼ି ଘାଟି ରାସ୍ତାରେ ଆଜିଠାରୁ ଗଡ଼ିବ ଯାତ୍ରୀବାହୀ ବସ। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ଗଞ୍ଜାମ ଜିଲା ସହ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ମଙ୍ଗଳବାର ସକାଳଠାରୁ ବସ ଚଳାଚଳକୁ ଅନୁମତି ମିଳିଛି। ଜାତୀୟ ରାଜପଥ ପ୍ରାଧିକରଣର ସୋରଡ଼ା କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ ଭାରୀଯାନ ଚଳାଚଳ ଉପରେ ଏବେ ବି କଟକଣା ବଳବତ୍ତର ରହିଛି। ଭାରୀ ବୋଝେଇ ଟ୍ରକ ଓ ହାଇୱା ଭଳି ଯାନବାହନକୁ ଆଉ କିଛିଦିନ ପରେ ଅନୁମତି ମିଳିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ପରେ ଗାଜଲବାଡ଼ି ଘାଟି ରାସ୍ତାରେ ଭୂସ୍ଖଳନ ଓ ଅଡ଼ଙ୍ଗୀ ନଦୀର ପ୍ରବଳ ଜଳସ୍ରୋତ ଯୋଗୁ ରାସ୍ତା ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ନଦୀ ନିଜର ଗତିପଥ ପରିବର୍ତ୍ତନ କରିବା ଫଳରେ ପ୍ରାୟ ୩୬୦ ମିଟର ରାସ୍ତା ସହ ପୋଲ ଧୋଇ ହୋଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ଏଡ଼ାଇବା ପାଇଁ ଉଭୟ କନ୍ଧମାଳ ଓ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୭ ତାରିଖରୁ ଘାଟି ରାସ୍ତାକୁ ସିଲ କରାଯାଇଥିଲା।
ଗଞ୍ଜାମ ଜିଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ଗାଜଲବାଡ଼ି ଏବଂ ଦାରିଙ୍ଗବାଡ଼ି ପଟର ବାଇମାଳା ଚେକ୍ଗେଟ୍ରେ ପୋଲିସ ମୁତୟନ କରାଯାଇ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। କେବଳ ହାଲୁକା ଯାନକୁ ଯାତାୟାତ ପାଇଁ ଅନୁମତି ମିଳୁଥିଲା। ଘାଟି ରାସ୍ତାର ଆବଶ୍ୟକ ମରାମତି କାର୍ଯ୍ୟ ଶେଷ ହେବା ପରେ ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଗୁରୁତ୍ୱ ଦେଇ ଏବେ ଯାତ୍ରୀବାହୀ ବସ ଚଳାଚଳକୁ ଅନୁମତି ମିଳିଛି। ତେବେ ଭାରୀଯାନ ଉପରେ କଟକଣା ଜାରି ରହିଥିବା ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ବାତ୍ୟା ପରବର୍ତ୍ତୀ ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ଦୁଇଟି ବାତ୍ୟା ଯୋଗୁ ମରାମତି କାର୍ଯ୍ୟରେ ବିଳମ୍ବ ହୋଇଥିବା କୁହାଯାଇଛି। ବସ ଚଳାଚଳ ଆରମ୍ଭ ହେବା ପରେ ଦାରିଙ୍ଗବାଡ଼ି ଓ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ଯାତ୍ରୀମାନେ ଆଶ୍ୱସ୍ତି ପାଇବେ।