Categories: ଜାତୀୟ

ମୋଦିଙ୍କ ଆଗମନ ପାଇଁ ସଜେଇ ହୋଇଛି ବାରାଣସୀ ଘାଟ

ନୂଆଦିଲ୍ଲୀ,୩୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିବେ । ଦ୍ୱିପ୍ରହର ସମୟରେ ମୋଦି ବାରାଣସୀ ଗସ୍ତ କରିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ କାର୍ଯ୍ୟକ୍ରମରେ ମୋଦିଙ୍କ ସହ ରହିବେ ବୋଲି ଜଣାପଡଛି । ଏଥିପାଇଁ ବାରାଣସୀର ଘାଟ ଗୁଡିକ ନବବଧୂ ବେଶରେ ସଜେଇ ହୋଇ ସାରିଲେଣି । ବାରାଣାସୀ ଗସ୍ତ ସମୟରେ ମୋଦି ଜାତୀୟ ରାଜପଥ ସଂଖ୍ୟା-୨କୁ ହାଣ୍ଡିଆ-ରାଜା ରାସ୍ତାର ପ୍ରଶସ୍ତିକରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ପରିଯୋଜନା ପ୍ରୟାଗରାଜ ତଥା ବାରାଣାସୀକୁ ଯୋଡିବା ସହ ସ୍ୱର୍ଣ୍ଣ ଚତୁର୍ଭୁଜ ପରିଯୋଜନା-୧ର ବି ପ୍ରମୁଖ ଭାଗ ହେବ । ପୂର୍ବରେ ପ୍ରୟାଗରାଜରୁ ବାରାଣସୀ ମଧ୍ୟରେ ଏବେ ପାଖାପାଖି ସାଢେ ୩ ଘଣ୍ଟାର ଅତିକ୍ରମ ସମୟ ଲାଗୁଛି । ହେଲେ ଏହାପରେ ଏହି ରାସ୍ତାକୁ ମାତ୍ର ଦେଢ ଘଣ୍ଟାରେ ଅତିକ୍ରମ କରିହେବ ବୋଲି ଜଣାପଡିଛି । ଏହାପରେ ମୋଦି କାଶୀ ବିଶ୍ୱନାଥ ମନ୍ଦିର ପରିଯୋଜନା ସ୍ଥଳ ପରିଦର୍ଶନ କରିବେ ଓ ରାଜଘାଟରେ ଆୟୋଜିତ ‘ଦେବ ଦିପାବଳୀ’ ମହୋତ୍ସବରେ ବି ସାମିଲ ହେବେ ।

Share