Categories: ଖେଳ

ଘରାମି, ମଜୁମଦାରଙ୍କ ଶତକ

ଇନ୍ଦୋର, ୯।୨: ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ସେମିଫାଇନାଲ ବୁଧବାରଠାରୁ ଆରମ୍ଭ ହୋଇଛି। ସୁଦୀପ କୁମାର ଘରାମି ଓ ଅନୁସ୍ତୁପ ମଜୁମଦାରଙ୍କ ଶତକ ସହାୟତାରେ ବେଙ୍ଗଲ ଏଠାରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ପ୍ରଥମ ସେମିଫାଇନାଲରେ ନିଜର ସ୍ଥିତିକୁ ମଜଭୁତ କରିଛି। ପ୍ରଥମ ଦିବସ ଖେଳ ଶେଷ ବେଳକୁ ବେଙ୍ଗଲ ୪ ଉଇକେଟ ହରାଇ ୩୦୭ ରନ ସଂଗ୍ରହ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ବେଙ୍ଗଲ ୫୧ ରନରେ ଦୁଇ ଓପନର କରନ ଲାଲ (୨୩) ଓ ଅଭିମନ୍ୟୁ ଈଶ୍ୱରନ (୨୭)ଙ୍କ ଉଇକେଟ ହରାଇଥିଲେ ହେଁ ଘରାମି ଓ ମଜୁମଦାର ତୃତୀୟ ଉଇକେଟରେ ଦ୍ୱିଶତକୀୟ (୨୪୧ ରନ) ଭାଗୀଦାରି ଗଢ଼ି ଇନିଂସ ସମ୍ଭାଳି ନେଇଥିଲେ। ୨୦୬ ବଲ୍‌ ଖେଳିଥିବା ମଜୁମଦାର ୧୩ ଚୌକା ଓ ୧ ଛକା ସହାୟତାରେ ୧୨୦ ରନକରି ଆଉଟ ହେବାରୁ ଏହି ଯୋଡ଼ି ଭାଙ୍ଗିଥିଲା। ମଜୁମଦାର ଆଉଟ ହେବାର ପରବର୍ତ୍ତୀ ଓଭରରେ ଘରାମି ବ୍ୟକ୍ତିଗତ ୧୧୨ (୨୧୩ ବଲ୍‌, ୧୨ ଚୌକା, ୨ ଛକା) ରନ କରିଥିବାବେଳେ ଅନୁଭବ ଅଗ୍ରଓ୍ବାଲଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଧିନାୟକ ମନୋଜ ତିଓ୍ବାରୀ ୫ ଓ ଶାହାବାଜ ଅହମଦ ୬ ରନକରି ଅପରାଜିତ ରହିଥିଲେ। ମଧ୍ୟପ୍ରଦେଶ ବୋଲରଙ୍କ ମଧ୍ୟରେ ଅନୁଭବ ଅଗ୍ରଓ୍ବାଲ ୨ଟି ଏବଂ ଆଭେଶ ଖାଁ ଓ ଗୌରବ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ବ୍ୟାଟିଂ ବିପର୍ଯ୍ୟୟ ପରେ କର୍ନାଟକ ଦୃଢ଼

ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ସେମି ଫାଇନାଲରେ କିନ୍ତୁ ପ୍ରଥମ ଦିବସର ସମ୍ମାନ ଉଭୟ ଦଳ ଭାଗ କରିଛନ୍ତି। ସୌରାଷ୍ଟ୍ର ବୋଲରମାନେ ଘାତକ ବୋଲିଂ କରି ୧୧୨ ରନରେ କର୍ନାଟକର ୫ ଉଇକେଟ ପତନ ଘଟାଇଥିଲେ। ଅନ୍ୟପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ କର୍ନାଟକ ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ସେହି ୫ ଉଇକେଟ ହରାଇ ୨୨୯ ରନ ସଂଗ୍ରହ କରି ନେଇଛି। ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୧୧୦ (୨୪୬ ବଲ, ୧୧ ଚୌକା, ୧ ଛକା) ଓ ଶ୍ରୀନିବାସ ଶରଥ ୫୮ (୧୪୩ ବଲ, ୪ ଚୌକା) ରନରେ ଅପରାଜିତ ରହିଛନ୍ତି। ଅସମାପ୍ତ ୬ଷ୍ଠ ଉଇକେଟରେ ଦୁହେଁ ୧୧୭ ରନ ସଂଗ୍ରହ କରିଛନ୍ତି। ରବିକୁମାର ସମର୍ଥ ୩, ଦେବଦତ୍ତ ପଡିକାଲ ୯, ନିକିନ ଜୋସ ୧୮, ମନୀଷ ପାଣ୍ଡେ ୭ ଓ ଶ୍ରେୟାସ ଗୋପାଳ ୧୫ ରନକରି ଆଉଟ ହୋଇଛନ୍ତି। ସୌରାଷ୍ଟ୍ର ପକ୍ଷରୁ କୁଶାଙ୍ଗ ପଟେଲ ୨ଟି ଏବଂ ଚେତନ ସାକାରିଆ ଓ ପ୍ରେରକ ମଙ୍କଡ଼ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

Share