ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ କରାଯାଉଛି।
କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲାରେ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ପାଇଁ ଜିଲାପାଳ ଭି. କୀର୍ତ୍ତି ଭାସନ ଜିଲାବାସୀଙ୍କୁ ଆହ୍ବାନ କରିଛନ୍ତି। ‘ଘରେ ଘରେ ତ୍ରିରଙ୍ଗା’ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ଗର୍ବ, ଗୌରବ ଓ ଦେଶପ୍ରେମର ପ୍ରତୀକ ବୋଲି ଜିଲାପାଳ କହିଛନ୍ତି।
ଏହି ଅବସରରେ ଗଞ୍ଜାମ ଜିଲାରେ ଅଗଷ୍ଟ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅଗଷ୍ଟ ୧୦ ତାରିଖରେ ସୋସିଆଲ ମିଡିଆ ଅଭିଯାନର ଶୁଭାରମ୍ଭ। ଅଗଷ୍ଟ ୧୧ରେ ତ୍ରିରଙ୍ଗା ରଙ୍ଗୋଲି ପ୍ରତିଯୋଗିତା, ସ୍ବଚ୍ଛତା ଅଭିଯାନ ଏବଂ ଛତ୍ରପୁରସ୍ଥିତ ଆଞ୍ଚଳିକ କଳା ଗ୍ୟାଲେରୀରେ ମ୍ୟୁରାଲ ଓ ଚିତ୍ରକଳା ପ୍ରତିଯୋଗିତା। ଅଗଷ୍ଟ ୧୨ରେ ଛତ୍ରପୁରସ୍ଥିତ ସ୍ବାଧୀନତା ସଂଗ୍ରାମୀ ସ୍ମୃତିପୀଠରେ ପ୍ରଦର୍ଶନୀ ଏବଂ ପ୍ରାୟ ୫,୦୦୦ ଅଂଶଗ୍ରହଣକାରୀଙ୍କୁ ନେଇ ବ୍ରହ୍ମପୁର ଷ୍ଟାଡିୟମରୁ ଖଲ୍ଲିକୋଟ କଲେଜ ପଡ଼ିଆ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ଆୟୋଜିତ ହେବ।
ଅଗଷ୍ଟ ୧୩ରେ ବିଜୟଦ୍ୱାରରୁ ଗୋପାଳପୁର ବେଳାଭୂମି ପର୍ଯ୍ୟନ୍ତ ମାରାଥନ ଏବଂ ଛତ୍ରପୁର ସଂସ୍କୃତି ଭବନରେ ଦେଶପ୍ରେମ ଭିତ୍ତିକ ନାଟକ ପରିବେଷଣ କରାଯିବ। ଅଗଷ୍ଟ ୧୪ରେ ଶୋଭାଯାତ୍ରା, ବିଭିନ୍ନ ସ୍କ୍ରିନରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ଏବଂ ବାଲୁକା କଳା ପ୍ରଦର୍ଶନ କରାଯିବ। ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ ଓ ସ୍ବାଧୀନତା ଦିବସ ପାଳନ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବିଡିଓ ଓ ତହସିଲଦାରଙ୍କ ନେତୃତ୍ୱରେ ରାଲି ଆୟୋଜନ କରାଯିବ। ‘ବନ୍ଦେ ମାତରମ’ର ସମବେତ ଗାୟନ କରାଯିବ। ଏଥିସହ ‘ସେଲ୍ଫି ୱିଥ ତ୍ରିରଙ୍ଗା’ ମାଧ୍ୟମରେ ଜାତୀୟ ପତାକା ସହ ସେଲ୍ଫି ନେଇ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ମଧ୍ୟ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯିବ।
ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକାର ବିକାଶ ଯାତ୍ରା ଏବଂ ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ‘ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ’ ପ୍ରଦର୍ଶନୀ ଆୟୋଜନ କରାଯିବ। ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ମାଈ ଗମେଣ୍ଟ ପୋର୍ଟାଲରେ ଆୟୋଜିତ ଅନଲାଇନ କୁଇଜ୍ରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ମଧ୍ୟ ସୁନିଶ୍ଚିତ କରାଯିବ।
ଆୟୋଜିତ ଖବରତାଦା ସମ୍ମିଳନୀରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।