Categories: ଫୁରସତ

ବିବାହ କରିବା ପଡ଼ିଲା ମହଙ୍ଗା: ସିଲ୍‌ ହେଲା ସମଗ୍ର ସହର

ବିବାହ ଉତ୍ସବକୁ ଲୋକେ ଧୂମ୍‌ ଧାମ୍‌ରେ ପାଳନ କରିଥାନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ କରୋନା ଯୋଗୁ ସବୁକିଛି ବଦଳିଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଜାରି କରାଯାଇଛି। ଭାରତରେ କୌଣସି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଯାଇଛି। ଅନ୍ୟ ଦେଶମାନଙ୍କରେ ମଧ୍ୟ ଏମିତି କିଛି ପ୍ରତିବନ୍ଧକ ରହିଛି। ତେବେ ଅଧିକାଂଶ ସ୍ଥାନରେ ଲୋକ ସମାଗମ କରୋନା ବ୍ୟାପିବାର କାରଣ ପାଲଟୁଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ସ୍ପେନ୍‌ରେ। ଯାହା ଫଳରେ ସମ୍ପୂର୍ଣ୍ଣ ସହରକୁ ସିଲ୍‌ କରାଯାଇଛି।
ସ୍ପେନ୍‌ର ନଭାରେର ଟୁଡେଲାରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମାରୋହରେ ସାମିଲ ହୋଇଥିବା ୨୩ଜଣ କରୋନା ପଜିଟିଭ ଜଣାପଡ଼ିଛନ୍ତି। ଏଥିରେ ନିଜେ କନ୍ୟା ଏବଂ ତାଙ୍କ ମା’ ମଧ୍ୟ କରୋନା ପଜିଟିଭ ଥିବା ଜଣାପଡ଼ିଛି। ମେ’ ୩୦ରୁ ଏଠାରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗୋଟିଏ ଦିନରେ ୨୫୭ କରୋନା ପଜିଟିଭ ବାହାରିବା ଚିନ୍ତାର କାରଣ ପାଲଟିଛି। ଏହା ଦ୍ୱାରା ସହରର ୩୫ ହଜାର ଲୋକଙ୍କ ଜୀବନ ବିପଦରେ ପଡ଼ିଛି। ପୂର୍ବରୁ ଉକ୍ତ ସହରରେ କେବଳ ୭୩ଜଣ କରୋନା ପଜିଟିଭ ଥିଲେ। ତେବେ ଯେଉଁମାନେ କରୋନା ପଜିଟିଭ ଜଣାପଡ଼ିଛନ୍ତି ସମସ୍ତଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି।

Share