୭୨ ଘଣ୍ଟାରେ କରୋନାରୁ ମୁକ୍ତି,ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ ହେଉଛି ଔଷଧ…

କୋହ୍ଲାପୁର,୧୧।୮: କରୋନା ମହାମାରୀ ଭୂତାଣୁୁ ବିରୋଧରେ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥିତ ଆଇସେରା ବାୟୋଲୋଜିକାଲ ନାମକ ଏକ ଚାରି ବର୍ଷ ପୁରୁଣା ବାୟୋ ସାଇନ୍ସ କମ୍ପାନୀ କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତି ଉପରେ ପରୀକ୍ଷା କରୁଛି। ଯଦି ଏହି କମ୍ପାନୀ ସମସ୍ତ ମାନକ ପୂରଣ କରେ, ତେବେ ଏହା ଭାରତର ପ୍ରଥମ ସ୍ବଦେଶୀ ବିକଶିତ ଔଷଧ ଭାବେ କରୋନା ଲଢ଼େଇ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହି ଔଷଧର ବ୍ୟବହାର ଦ୍ୱାରା କରୋନାର ଆରଟି ପିସିଆର୍‌ ରିପୋର୍ଟ ୭୨ ରୁ ୯୦ ଘଣ୍ଟା ମଧ୍ୟରେ ନେଗେଟିଭ୍‌ ଆସିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଉଛି। ଏହି ଔଷଧ ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ କରାଯାଇଛି।
ଏହି କମ୍ପାନୀ ଆଣ୍ଟିସେରମ ଉତ୍ପାଦ ଉତ୍ପାଦନ କରୁଛି। କୁକୁର କାମୁଡ଼ିବା, ସାପ କାମୁଡ଼ିବା ଏବଂ ଡିଫଥେରିଆର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କମ୍ପାନୀ ପ୍ରଭାବଶାଳୀ ଔଷଧ ପ୍ରସ୍ତୁତି କରିଛି। କମ୍ପାନୀ ପକ୍ଷରୁ କରୋନା ବିରୋଧରେ ଆଣ୍ଟିବଡିଗୁଡିକର ଏକ ପ୍ରଭାବଶାଳୀ କକଟେଲ ବିକଶିତ କରିଛି ଏବଂ ଏହାର ବ୍ୟବହାର କୋଭିଡର ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କଠାରେ ସଂକ୍ରମଣକୁ ରୋକା ଯାଇପାରିବ। ଶରୀରରେ ଥିବା ଭୂତାଣୁ ମଧ୍ୟ ନଷ୍ଟ ହୋଇଯିବ।
ବର୍ଷ ଶେଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବାର ସମ୍ଭାବନା ରହିଛି। ଏହାର ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ହଜାର ଟଙ୍କା ମଧ୍ୟରେ ରହିବ। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଔଷଧର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ କମ୍ପାନୀ ଯୋଜନା କରିଛି। ଔଷଧର ପରୀକ୍ଷା ଫଳାଫଳକୁ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଏନ.କେ ଗାଙ୍ଗୁଲି ମଧ୍ୟ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ ଔଷଧ ଏକ ନୂଆ ଆଶା ସୃଷ୍ଟି କରିଛି। କିନ୍ତୁ ଆମେ ମାନବ ପରୀକ୍ଷଣର ଫଳାଫଳକୁ ଅପେକ୍ଷା କରିଛୁତ୍। ସେ କହିଛନ୍ତି ଯେ ଯଦି ଏହି ଔଷଧ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ଏହି ଔଷଧ ଆନ୍ତର୍ଜାତୀୟ ଉତ୍ପାଦ ଅପେକ୍ଷା ଶସ୍ତା ହେବ।
ଇସେରା ବାୟୋଲୋଜିକ୍ସର ନିର୍ଦ୍ଦେଶକ ନନ୍ଦକୁମାର କଦମ କହିଛନ୍ତି ଯେ ସମସ୍ତ ବାହ୍ୟ ରାସାୟନିକ ପଦାର୍ଥ ବାହାର କରାଯାଇ ଔଷଧକୁ ବିଶୁଦ୍ଧ କରାଯାଇଛି। ସ୍ବତନ୍ତ୍ର ଆଣ୍ଟିଜେନ ଇଞ୍ଜେକ୍ସନକୁ ଘୋଡ଼ା ଶରୀରରେ ପ୍ରୟୋଗ କରାଯାଇ ଆଣ୍ଟିବଡି ପ୍ରସ୍ତୁତ କରାଯାଇଥିଲା। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସଠିକ ଆଣ୍ଟିଜେନ ଚୟନ କରିବାରେ କମ୍ପାନୀକୁ ଆବଶ୍ୟକ ସହାୟତା ଯୋଗାଇଦେଇଛି।

Share