ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ ‘RailOne’ ମୋବାଇଲ ଆପ୍ ବ୍ୟବହାର କରି ଯଦି ଆପଣ ଅଣସଂରକ୍ଷିତ (Unreserved) ଟିକେଟ ବୁକ କରୁଛନ୍ତି, ତେବେ ଆପଣଙ୍କୁ ୩% ପର୍ଯ୍ୟନ୍ତ ରିହାତି ମିଳିବ। ଡିଜିଟାଲ ଟିକେଟିଂକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଏହି ସୁବିଧା ଦ୍ୱାରା ଯାତ୍ରୀମାନେ ଷ୍ଟେଶନରେ ଲମ୍ବା ଲାଇନରେ ନ ଠିଆ ହୋଇ ନିଜ ମୋବାଇଲ୍ରୁ ଶସ୍ତାରେ ଟିକେଟ କାଟିପାରିବେ।
ରେଳବାଇ ପକ୍ଷରୁ ଏହି ରିହାତି ବ୍ୟବସ୍ଥା ମାତ୍ର ୬ ମାସ ପାଇଁ ଲାଗୁ କରାଯାଇଛି। ୧୪ ଜାନୁଆରୀ ୨୦୨୬ରୁ ଏହା ଆରମ୍ଭ ହୋଇ ୧୪ ଜୁଲାଇ ୨୦୨୬ରେ ଶେଷ ହେବ। UPI, ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ନେଟ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ମାଧ୍ୟମରେ ପେମେଣ୍ଟ କଲେ ଏହି ରିହାତି ମିଳିବ। ଯେଉଁମାନେ R-Wallet ଜରିଆରେ ଟିକେଟ ବୁକ କରୁଛନ୍ତି, ସେମାନଙ୍କ ପାଇଁ ପୂର୍ବଭଳି ୩% ବୋନସ କ୍ୟାସବ୍ୟାକ ଜାରି ରହିବ।
କ’ଣ ଏହି ’RailOne’ ଆପ?
RailOne ହେଉଛି ରେଳବାଇର ଏକ ’ୱାନ-ଷ୍ଟପ ଡିଜିଟାଲ ପ୍ଲାଟଫର୍ମ’। ଯାତ୍ରୀମାନଙ୍କୁ ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଆପ୍ ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏହି ଗୋଟିଏ ଆପ୍ରେ ଅନେକ ସେବାକୁ ଏକାଠି କରାଯାଇଛି:
IRCTC Rail Connect: (ସଂରକ୍ଷିତ ଟିକେଟ ପାଇଁ)
UTS Mobile: (ଜେନେରାଲ ଟିକେଟ ପାଇଁ)
NTES:(ଟ୍ରେନ ଷ୍ଟାଟସ ପାଇଁ)
Rail Madad: (ଅଭିଯୋଗ ପାଇଁ)
E-Catering:(ଖାଦ୍ୟ ଅର୍ଡର ପାଇଁ)
RailOne ଆପ୍ର ପ୍ରମୁଖ ବୈଶିଷ୍ଟ୍ୟ:
ଏହି ଆପ୍ ବ୍ୟବହାର କରି ଯାତ୍ରୀମାନେ ଅନେକ ସୁବିଧା ପାଇପାରିବେ:
୧. ଲାଇଭ ଟ୍ରେନ ଷ୍ଟାଟସ: ଟ୍ରେନ କେଉଁଠି ଅଛି ଏବଂ ବିଳମ୍ବ ଅଛି କି ନାହିଁ ଜାଣିପାରିବେ।
୨. PNR ଟ୍ରାକିଂ: ନିଜ ଟିକେଟ୍ର ସ୍ଥିତି ସହଜରେ ଯାଞ୍ଚ କରିପାରିବେ।
୩. କୋଚ୍ ପୋଜିସନ:ଷ୍ଟେଶନକୁ ଟ୍ରେନ ଆସିବା ପୂର୍ବରୁ ଆପଣଙ୍କ ବଗି କେଉଁଠି ରହିବ, ତାହା ଜାଣିପାରିବେ।
୪. ଖାଦ୍ୟ ଅର୍ଡର: ନିଜ ସିଟ୍ରେ ବସି ମନପସନ୍ଦର ଖାଦ୍ୟ ଅର୍ଡର କରିପାରିବେ।
୫.ଟିକେଟ କ୍ୟାନସେଲ: ରିଫଣ୍ଡ ଏବଂ କ୍ୟାନସେଲ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ।
ମୋଟାମୋଟି କହିବାକୁ ଗଲେ ରେଳବାଇର ଏହି ପଦକ୍ଷେପ ଯାତ୍ରୀମାନଙ୍କ ସମୟ ଏବଂ ଅର୍ଥ ଦୁଇଟିଯାକ ବଞ୍ଚାଇବାରେ ସାହାଯ୍ୟ କରିବ। ତେଣୁ ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ୧୪ ଜୁଲାଇ ପୂର୍ବରୁ RailOne ଆପ ବ୍ୟବହାର କରି ଏହି ରିହାତିର ଲାଭ ଉଠାନ୍ତୁ।