Categories: ଖେଳ

କୋରିଆକୁ ୭-୨ରେ ହରାଇଲା ଜର୍ମାନୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ହକି ବିଶ୍ୱକପର ଶେଷ ଗ୍ରୁପ୍‌ ମ୍ୟାଚରେ ଶୁକ୍ରବାର ଦକ୍ଷିଣ କୋରିଆକୁ ୭-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ମାତ୍ର ଏହି ବଡ଼ ବିଜୟ ଜର୍ମାନୀକୁ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ଦେଇ ପାରିନାହିଁ। ପୁଲ୍‌ ‘ବି’ରେ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଜର୍ମାନୀ କ୍ରସ୍‌ ଓଭର ଖେଳିବ। ତୃତୀୟ ସ୍ଥାନ ହାସଲ କରିଥିବା କୋରିଆ ମଧ୍ୟ କ୍ରସ୍‌ ଓଭର ମ୍ୟାଚରେ ଅବତୀର୍ଣ୍ଣ ହେବ। ଜର୍ମାନୀ ସମକକ୍ଷ ୭ ପଏଣ୍ଟ ପାଇଥିଲେ ହେଁ ଏହି ଗ୍ରୁପ୍‌ରୁ ବେଲ୍‌ଜିୟମ ଗୋଲ ବ୍ୟବଧାନରେ ଆଗରେ ରହି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କୋରିଆ ବିପକ୍ଷ ମ୍ୟାଚରେ ଜର୍ମାନୀ ପକ୍ଷରୁ ନିକ୍ଲାସ ଓ୍ବେଲେନ ୧ମ, ୧୬ ଓ ୪୦ତମ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଞ୍ଜାଲୋ ପିଲାଟ ୪୨, ଜୁସଟୁସ ଓ୍ବେଗାଣ୍ଡ ୫୦, ମ୍ୟାଟ୍ସ ଗ୍ରାମବୁଶ୍ଚ ୫୨ ଓ ମୋରିଜ ଲୁଡଓ୍ବିଗ୍‌ ୫୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଦକ୍ଷିଣ କୋରିଆ ପକ୍ଷରୁ ଜାଙ୍ଗ୍‌ ଜୋଙ୍ଗହ୍ୟୁନ ୧୪ ଓ ୫୯ତମ ମିନିଟରେ ୨ଟି ଗୋଲ ପରିଶୋଧ କରିଥିଲେ। ୨୩ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ କୋରିଆ ଏବଂ ଫ୍ରାନ୍ସ ବିପକ୍ଷରେ ଜର୍ମାନୀ କ୍ରସ୍‌ ଓଭର ମ୍ୟାଚ ଖେଳିବ।

Share