ପାଟନାରେ ପଶିଲା ନୂଆ ଭାରିଆଣ୍ଟ ବିଏ-୧୨

ନୂଆଦିଲ୍ଲୀ,୨୮।୪: ବିହାରର ପାଟନାରୁ ଗୁରୁବାର କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ମୋଟ ୧୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଗୋଟିଏ ବିଏ-୧୨ ଷ୍ଟ୍ରେନ୍‌ ରହିଥିବା ଜଣାପଡ଼ିଛି। ଏହା ତୃତୀୟ ଲହର ସମୟର ବିଏ-୨ ଭାରିଆଣ୍ଟ ତୁଳନାରେ ୧୦ ଗୁଣ ବିପଜ୍ଜନକ ବୋଲି କୁହାଯାଉଛି। ପାଟନାର ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଆଇଜିଆଇଏମ୍‌ଏସ୍‌)ରେ ଓମିକ୍ରନ୍‌ର ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ବିଏ-୧୨ ଭାରିଆଣ୍ଟ ପ୍ରଥମେ ଆମେରିକାରେ ଦେଖାଦେଇଥିଲା। କିଛିଦିନ ପୂର୍ବରୁ ଦିଲ୍ଲୀରେ ମଧ୍ୟ ୨/୩ଟି ଏଭଳି ମାମଲା ନଜରକୁ ଆସିଥିଲା।
ଆଇଜିଆଇଏମ୍‌ଏସ୍‌ର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ନମ୍ରତା କୁମାରୀ କହିଛନ୍ତି, କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ କରୋନାର ଓମିକ୍ରନ୍‌ ଭାରିଆଣ୍ଟର ନମୁନାଗୁଡ଼ିକର ଜିନୋମ ସିକ୍ୱେନ୍ସିଂ ଆରମ୍ଭ କରାଯାଇଥିଲା। ମୋଟ ୧୩ ନମୁନା ପରୀକ୍ଷାରୁ ଗୋଟିଏ ବିଏ-୧୨ ମିଳିଥିବା ବେଳେ ଅନ୍ୟ ୧୨ଟିରେ ବିଏ-୨ ଷ୍ଟ୍ରେନ୍‌ର ଜଣାପଡ଼ିଥିଲା। ବିଏ-୧୨ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହା ଜାଣିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସେ କହିଛନ୍ତି।

Share