ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ ଫାର୍ମରେ ୫ ହଜାର ୩ ଶହ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ଗତ କିଛିଦିନ ଧରି ମାଲକାନଗିରି ଜିଲାରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଇଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକମାନେ ଦୀର୍ଘ ସମୟ ଧରି ଲମ୍ବାଲାଇନରେ ଅପେକ୍ଷା କରୁଥିବା ବେଳେ ମୋଟରସାଇକେଲ ପାଇଁ ୨୦୦ ଟଙ୍କା ଓ କାର ପାଇଁ ୫୦୦ ଟଙ୍କା ପର୍ଯ୍ୟନ୍ତ ତେଲ ସୀମିତ କରାଯାଉଛି।

ବେରେଲରେ ଡିଜେଲ ମିଳୁ ନ ଥିବାରୁ ଅନେକ ବ୍ୟବସାୟୀ ଓ ଚାଷୀ ମଧ୍ୟ ଅସୁବିଧାରେ ପଡିଛନ୍ତି। ଏହି ପରିସ୍ଥିତି ମଧ୍ୟରେ ଜିଲା ସଦରରେ ଟୁଟୁ ପାଢୀ ନାମକ କୁକୁଡା ଚାଷୀଙ୍କ ଫାର୍ମ ନିକଟରେ ଥିବା ଟ୍ରାନ୍ସଫର୍ମରରେ ତ୍ରୁଟି ଦେଖାଦେବାରୁ ଗତ ରାତିରେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଥିଲା। କୁକୁଡା ଫାର୍ମର ତାପକୁ ନିୟନ୍ତ୍ରଣ ପାଇଁ ତୁରନ୍ତ କର୍ମଚାରୀମାନେ ଜେନେରେଟର ଲଗାଇଥିଲେ। କିନ୍ତୁ ଡିଜେଲ ଅଭାବ ଯୋଗୁଁ ଜେନେରେଟର କିଛି ସମୟ ଚାଲିବା ପରେ ବନ୍ଦ ହୋଇଯାଇଥିଲା। ଫଳରେ ଫାର୍ମରେ ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରାୟ ୫୩୦୦ କୁକୁଡ଼ା ମୃତ୍ୟୁବରଣ କରିଥିଲେ।

ମୃତ କୁକୁଡ଼ାଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳି ନ ଥିବାରୁ ଫାର୍ମ ମାଲିକ ଦୁଃଖ ପ୍ରକାଶ କରିଛନ୍ତି। ପରେ ମୃତ କୁକୁଡ଼ାଗୁଡ଼ିକୁ ମାଟି ତଳେ ପୋତି ଦିଆଯାଇଛି। ଜିଲାରେ ଇନ୍ଧନ ଅଭାବ ଓ ବିଦ୍ୟୁତ ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

Share