Categories: ଜାତୀୟ

ଲିଙ୍ଗଗତ ଅସମାନତା: ୧୪୦ ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ, ୨ା୪:ବିଶ୍ୱ ଅର୍ଥନୈତିକ ଫୋରମ୍‌(ଡବ୍ଲ୍ୟୁଇଏଫ୍‌)ର ବୈଶ୍ୱିକ ଲିଙ୍ଗଗତ ଅସମାନତା ରିପୋର୍ଟରେ ଭାରତ ଖରାପ ପ୍ରଦର୍ଶନ କରିଛି। ଏହି ସୂଚକାଙ୍କରେ ଭାରତ ୨୮ଟି ସ୍ଥାନ ତଳକୁ ଖସି ୧୪୦ ନମ୍ବରରେ ପହଞ୍ଚିଛି। ୧୫୬ଟି ଦେଶକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ ଦକ୍ଷିଣ ଏସିଆ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନରେ ଭାରତର ସ୍ଥାନ ତୃତୀୟ ରହିଛି। ୨୦୨୦ରେ ୧୫୩ଟି ଦେଶକୁ ନେଇ ପ୍ରକାଶିତ ରିପୋର୍ଟରେ ଭାରତ ୧୧୨ତମ ସ୍ଥାନରେ ରହିଥିଲା। ଆର୍ଥିକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଓ ସୁଯୋଗ ହାର କମିଛି। ଲିଙ୍ଗଗତ ଭେଦଭାବ ଅନୁପାତ ୩ ପ୍ରତିଶତ ବୃଦ୍ଧି ପାଇ ୩୨.୬ ପ୍ରତିଶତରେ ପହଞ୍ଚିଥିବା ରିପୋର୍ଟରୁ ଜଣାପଡ଼ିଛି।
ଭାରତରେ ବିଶେଷ କରି ରାଜନୀତି କ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ହ୍ରାସ ପାଇଛି। ୨୦୧୯ରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୨୩.୧ ପ୍ରତିଶତ ଥିବାବେଳେ ୨୦୨୧ରେ ତାହା ୯.୧ ପ୍ରତିଶତରେ ପହଞ୍ଚିଛି। ମହିଳା ଶ୍ରମବଳ ଭାଗୀଦାରି ୨୪.୮ ପ୍ରତିଶତରୁ ୨୨.୩ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ବଡ଼ ପଦବୀରେ ମହିଳା ଅଧିକାରୀଙ୍କ ସଂଖ୍ୟା କମିଛି। ପୂର୍ବରୁ ଏହା ୧୪.୬ ପ୍ରତିଶତ ଥିବାବେଳେ ଏବେ ୮.୯ ପ୍ରତିଶତରେ ପହଞ୍ଚିଛି। ଏହାବାଦ୍‌ ଭାରତୀୟ ମହିଳାଙ୍କ ହାରାହାରି ରୋଜଗାର ପୁରୁଷଙ୍କ ଆୟର ମାତ୍ର ଏକ ପଞ୍ଚମାଂଶ। ଚଳିତ ବର୍ଷ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ୬୨.୫ ପ୍ରତିଶତରୁ ବୃଦ୍ଧି ପାଇ ୬୬.୮ ପ୍ରତିଶତରେ ପହଞ୍ଚିଛି।
ସ୍ବାସ୍ଥ୍ୟ ଏବଂ ଜୀବନଧାରଣ ମାନ ଉପସୂଚକାଙ୍କ ପରିସଂଖ୍ୟାନରେ ମଧ୍ୟ ମହିଳା ଭେଦଭାବର ଶିକାର ହୋଇଥିବା ପ୍ରତିଫଳିତ ହୋଇଛି। ପ୍ରତି ୪ ଜଣରେ ଜଣେ ମହିଳା ଲିଙ୍ଗଭିତ୍ତିକ ହିଂସାର ସମ୍ମୁଖୀନ ହେଉଛନ୍ତି। ଭାରତରେ ପ୍ରତି ୩ ଜଣରେ ଜଣେ ମହିଳା ଅଶିକ୍ଷିତ ବୋଲି ରିପୋର୍ଟ କହୁଛି। ପଡ଼ୋଶୀ ବାଂଲାଦେଶ(୫୬), ନେପାଳ(୧୦୬), ଭୁଟାନ (୧୩୦), ଶ୍ରୀଲଙ୍କା (୧୧୬) ଭାରତଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ତାଲିକାର ୧୫୩ ତମ ଓ ଆଫଗାନିସ୍ତାନ ୧୫୬ ସ୍ଥାନରେ ରହିଛି। ଆଇସ୍‌ଲାଣ୍ଡରେ ସର୍ବାଧିକ ଲିଙ୍ଗଗତ ସମାନତା ରହିଛି। ଫିନ୍‌ଲାଣ୍ଡ, ନରଓ୍ବେ, ର୍ବାଣ୍ଡା, ସ୍ବିଡେନ, ଆୟର୍ଲାଣ୍ଡ, ସ୍ବିଜରଲାଣ୍ଡ ସୂଚକାଙ୍କର ଟପ୍‌ ୧୦ଟି ଦେଶ ମଧ୍ୟରେ ସ୍ଥାନିତ ହୋଇଛି।

Share