ଅମରପାଲି, ୧୦ା୧୧ (ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମ ନିକଟସ୍ଥ ଋଷମୁନି ପାହାଡ଼ରୁ ଦୀର୍ଘ ୬ ମାସ ହେଲା ବେଆଇନ ଭାବେ ମୂଲ୍ୟବାନ୍ ରତ୍ନପଥର ଖନନ କରାଯାଇ ଚୋରା ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରତ୍ନପଥର ସହ ପାହାଡ଼ର ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହେଉଥିବାରୁ ପରିବେଶ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏତେଦିନ ଧରି ଏଭଳି କାରବାର ଚାଲିଥିଲେ ମଧ୍ୟ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ଅନୁଯାୟୀ, ଗତବର୍ଷ ମଧ୍ୟ ଏହି ପାହାଡ଼ରୁ ରତ୍ନପଥର ଖନନ ପାଇଁ ଉଦ୍ୟମ ହୋଇଥିଲା। ସେତେବେଳେ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିବାରୁ ଖନନ ବନ୍ଦ ରହିଥିଲା। ମାତ୍ର ଚଳିତବର୍ଷ ପୁଣି ଥରେ ଏହି ବେଆଇନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତିଦିନ ଦଳଦଳ ହୋଇ ଲୋକେ ପାହାଡ଼କୁ ଯାଇ ଶାବଳ ଓ କୋଡ଼ି ସାହାଯ୍ୟରେ ରତ୍ନପଥର ଖୋଳୁଛନ୍ତି। ରତ୍ନପଥର ବ୍ୟବସାୟୀମାନେ ଶ୍ରମିକଙ୍କୁ ଦୈନିକ ମଜୁରି ଦେଇ ଅତି କମ୍ ମୂଲ୍ୟରେ ଏହି ପଥର ସଂଗ୍ରହ କରି ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଅନ୍ୟ କେତେକ ସ୍ଥାନରେ ଜେସିବି ଓ ଯନ୍ତ୍ରପାତି ଲଗାଇ ରତ୍ନପଥର ଖନନ ଘଟଣା ସାମ୍ନାକୁ ଆସିଥିଲା। ପରେ ଚଢ଼ାଉ ଭୟରେ ଏଠାରେ ଯନ୍ତ୍ରପାତି ବଦଳରେ ଶ୍ରମିକଙ୍କୁ ଲଗାଇ ଖନନ କରାଯାଉଥିବା ଗ୍ରାମବାସୀ କହିଛନ୍ତି। ତେଲିପାଲି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଗୌରୀଶଙ୍କର ସାହୁ କହିଛନ୍ତି, ଋଷମୁନି ପାହାଡ଼ରେ ବହୁ ମୂଲ୍ୟବାନ ରତ୍ନପଥର ସହିତ ଶାଳ, ପିଆଶାଳ, ଶିଶୁ, ଶାଗୁଆନ ଓ ଔଷଧିୟ ଭଳି ଗଛ ରହିଛି। ଦିନଦ୍ୱିପ୍ରହରରେ ନିୟମିତ ଭାବେ ଏଠାରୁ ରତ୍ନପଥର ଖନନ କରି ନିଆଯାଉଛି। ଫଳରେ ଗଛଗୁଡ଼ିକ ଢଳି ପଡ଼ିବା ସହ ପରିବେଶ ନଷ୍ଟ ହେଉଛି। ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ସୁରକ୍ଷିତ ରହିଥିବା ଏହି ଜଙ୍ଗଲ ଏବେ ବେଆଇନ ଖନନ ଯୋଗୁ ବିପଦରେ ପଡ଼ିଛି। ଏହାଦ୍ୱାରା କେବଳ ଜଙ୍ଗଲ ସମ୍ପଦ ନୁହେଁ, ପାହାଡ଼ର ପ୍ରାକୃତିକ ସନ୍ତୁଳନ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ନାମ ଗୋପନ ରଖିବା ସର୍ତ୍ତରେ ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି, ଏଠାରୁ ମିଳୁଥିବା ରତ୍ନପଥରର ରାଜ୍ୟ ବାହାରେ ବେଶ ଚାହିଦା ରହିଛି। ବ୍ୟବସାୟୀମାନେ ଶ୍ରମିକଙ୍କଠାରୁ କମ ମୂଲ୍ୟରେ ରତ୍ନପଥର କିଣି କଣ୍ଟାବାଞ୍ଜି ଦେଇ ରାଜସ୍ଥାନର ଜୟପୁରକୁ ଚାଲାଣ କରୁଥିବା ସେ କହିଛନ୍ତି। ଏହି କାରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ଲୋକେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ବେଆଇନ ଖନନ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଥିବା ବେଳେ ପାହାଡ଼ର ପ୍ରାକୃତିକ ସମ୍ପଦ ଓ ସବୁଜିମା ବିପଦରେ ପଡ଼ିଛି। ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସାହୁ, ସମ୍ପାଦକ ଅଚ୍ୟୁତାନନ୍ଦ ଭୁକ୍ତା, ସୁରେନ୍ଦ୍ର ବେହେରା, ନରେଶ ସାହୁ, ଦିଲୀପ ସାହୁ ଓ ସମାରୁ ଭୁକ୍ତାଙ୍କ ସମେତ ତେଲିପାଲି ଗ୍ରାମ୍ୟ ପରିଚାଳନା କମିଟି, ରଘୁନାଥ ନାଟ୍ୟ ସଂସଦ ଏବଂ ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ତୁରନ୍ତ ଘଟଣାସ୍ଥଳରେ ତଦନ୍ତ କରି ବେଆଇନ ଖନନ ବନ୍ଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବଲାଙ୍ଗୀର ସର୍କଲ ଖଣି ବିଭାଗର ଭାରପ୍ରାପ୍ତ ଡେପୁଟି ଡାଇରେକ୍ଟର ବୀରକିଶୋର ତୀର୍କିଙ୍କୁ ପଚାରିବାରେ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ପଠାଯିବ। ରାଜସ୍ବ ବିଭାଗ ଓ ଖଣି ବିଭାଗର ମିଳିତ ଟିମ୍ ଖନନ ସ୍ଥଳରେ ଚଢ଼ାଉ କରି ତଦନ୍ତ କରିବେ ବୋଲି ସେ କହିଛନ୍ତି।