ଗାଜାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଲା

ଜେରୁଜେଲମ୍‌,୨୧ା୧୦: ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୫ଦିନରେ ପହଞ୍ଚିଛି। ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଇସ୍ରାଏଲ ସେନା କ୍ରମାଗତ ଭାବରେ ହମାସ୍‌ ସ୍ଥିତିକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛନ୍ତି। ଏହି ସମୟରେ ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଅକ୍ଟୋବର ୭ରେ ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ବଢ଼ିବା ପରେ ଗାଜାରେ ମୃତ୍ୟୁସଂଖ୍ୟା ୪,୩୮୫କୁ ବୃଦ୍ଧି ପାଇଛି ଏବଂ ୧୩,୬୫୧ ଜଣ ଆହତ ହୋଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ମୃତକଙ୍କ ମଧ୍ୟରେ ୧୭୫୬ ଶିଶୁ ଏବଂ ୯୭୬ ମହିଳା ଅଛନ୍ତି। ଏଥି ସହିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଗାଜା ଜିତିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ। ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି, ଇସ୍ରାଏଲ ସେନାର କାର୍ଯ୍ୟକଳାପକୁ କୌଣସି ପ୍ରକାରେ ବନ୍ଦ କରାଯିବ ନାହିଁ।