ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନ ୨୫ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସି ଅଧୀନ ୧୦ ୱାର୍ଡର ୭୧୫ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ଗତ ୩ ମାସ ହେଲା ଭତ୍ତା ଅର୍ଥରାଶି ମିଳୁନାହିିଁ। ଏପରିକି ଦୀର୍ଘ ୨ ବର୍ଷ ଧରି ଅନଲାଇନ ଜରିଆରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀମାନଙ୍କ ନୂତନ ଭତ୍ତା ଅନୁମୋଦନ କରାଯାଇନାହିିଁ। ଫଳରେ ଏହାର ପ୍ରତିବାଦରେ ସରପଞ୍ଚ ସଂଘର ଗଞ୍ଜାମ ଜିଲା ସଭାପତି ତଥା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨ ତାରିଖ ଠାରୁ ଧାରଣାରେ ବସିଛନ୍ତି । ତାଙ୍କ ଧାରଣା ସୋମବାର ସପ୍ତମ ଦିନରେ ପହଞ୍ଚିଛି। ସୋମବାର ମଧ୍ୟାହ୍ନରେ ଗଞ୍ଜାମ ଜିଲା ସାନଖେମୁଣ୍ଡି , କବିସୂର୍ଯ୍ୟନଗର , ହିଞ୍ଜିଳିକାଟୁ ବ୍ଲକ ଅଧୀନ ଅନେକ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ଧାରଣାସ୍ଥଳରେ ପହଞ୍ଚି ସରପଞ୍ଚ ମନୋରଞ୍ଜନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ସମସ୍ତ ହିତାଧିକାରୀଙ୍କୁ ଯଥାଶୀଘ୍ର ସେମାନଙ୍କ ଭତ୍ତା ଟଙ୍କା ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରି ଉଦ୍ବୋଧନ ଦେଇଥିଲେ । ଆଗାମୀ ଦିନରେ ସରକାର ଯଦି ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି , ତେବେ ଗଞ୍ଜାମ ଜିଲା ସରପଞ୍ଚ ସଂଘ ପକ୍ଷରୁ ଜନ ଆନ୍ଦୋଳନ କରାଯିବାକୁ ଦୃଢ଼ ଚେତାବନୀ ଦେଇଛନ୍ତି । ଧାରଣାସ୍ଥଳରେ ସରପଞ୍ଚ ରବିନ୍ଦ୍ରନାଥ ପଲାଇ , ମିନତୀ କୁମାରୀ ଦାସ , ଅମୀୟ କୁମାର ମାହୁନ୍ତ , ସୁଜତା ପଣ୍ଡା ,ବର୍ଷା ସେଠୀ , ମିନତୀ ସେଠୀ , କାହ୍ନୁଚରଣ ରାଉତ , କୃଷ୍ଣଚନ୍ଦ୍ର ଭାଉଲ , ସୁବାଷ ଗୌଡ , ବିଜୟ ବେହେରା , ଅନୀଲ ପରିଡ଼ା , ସୁରଜ ଭାଉଲଙ୍କ ସମେତ ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ ପ୍ରମୁଖ ବହୁସଂଖ୍ୟକ ଜନପ୍ରତିନିଧି ଉପସ୍ଥିତ ଥିଲେ।