Categories: ଖେଳ

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଦିନିକିଆ ତ୍ରିଶତକ ହାସଲ କରିପାରିବେ ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳ ବାଂଲାଦେଶି ବିପକ୍ଷରେ ଟେଷ୍ଟ ସିରିଜ ବିଜୟ ସହିତ ୨୦୨୨ କ୍ୟାଲେଣ୍ଡର ବର୍ଷ ଶେଷ କରିଛି। ଏହି ବିଜୟ ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବାର ସମ୍ଭାବନାକୁ ଦୃଢ କରିଛି। ଭାରତ ପାଇଁ ଏହା ଏକ କଷ୍ଟକର ବର୍ଷ ହୋଇଛି। ଏସିଆ କପ୍‌ର ସୁପର-୪ ଏବଂ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ଟିମ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ୨୦୨୨ ପାଇଁ ଭାରତର ଶ୍ରେଷ୍ଠ ଖେଳାଳି ବାଛିବା ପାଇଁ କଠିନ କାର୍ଯ୍ୟ ଦିଆଯାଇଥିଲା। ସେ ଏଥିପାଇଁ ଇଶାନ କିଶନଙ୍କୁ ବାଛିଛନ୍ତି। ଏହା ସହିତ ଗାଭାସ୍କର ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ, ସେ ଦିନିକିଆରେ ତ୍ରିଶତକ ହାସଲ କରିପାରିବେ।
ଗାଭାସ୍କର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନଙ୍କୁ ପ୍ରଶଂସା କରିଥିଲେ। ବାଂଲାଦେଶ ଗସ୍ତରେ ତୃତୀୟ ଦିନିକିଆରେ କିଶନ ୨୧୦ ରନର ଏକ ଇନିଂସ ଖେଳିଥିଲେ। ସେ ଏହି ଇନିଂସ ସହ ରୋହିତ ଶର୍ମା, ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ସ୍ବତନ୍ତ୍ର କ୍ଲବରେ ଯୋଗ ଦେଇଥିଲେ। ଗାଭାସ୍କର କହିଛନ୍ତି, ଯଦି ସେ ସେହି ମ୍ୟାଚରେ ବ୍ୟାଟିଂ ଜାରି ରଖିଥାନ୍ତେ, ତେବେ ସେ ଦିନିକିଆରେ ପ୍ରଥମ ତ୍ରିଶତକ ହାସଲ କରିଥାନ୍ତେ। ତାଙ୍କ ଉପରେ ବହୁତ କିଛି ଆଶା ଅଛି। ବିଦେଶରେ ମଧ୍ୟ ଏପରି ବ୍ୟାଟିଂ କରିବାର ସାମାର୍ଥ୍ୟ ତାଙ୍କ ପାଖରେ ଅଛି। ତେଣୁ ସେ ଭବିଷ୍ୟତରେ ଦିନିଆରେ ତ୍ରିଶତକ ହାସଲ କରିପାରିବେ ଏଥିରେ ସନ୍ଦେହ ନାହିଁ।

Share