Categories: ଖେଳ

ଗାଭାସ୍କରଙ୍କୁ ଏସ୍‌ଜେଏଫ୍‌ଆଇ ପଦକ, ଶାସ୍ତ୍ରୀ ସମ୍ମାନିତ

ଥିରୁଭାନନ୍ତପୁରମ,୨୮।୯(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏସଜେଏଫ୍‌ଆଇ)ର ବିଶେଷ ସମ୍ମାନ ଗ୍ରହଣ କରିଛନ୍ତି। ଏସ୍‌ଜେଏଫ୍‌ଆଇ ପକ୍ଷରୁ ପ୍ରତିବର୍ଷ କିଛି କିମ୍ବଦନ୍ତୀ ଖେଳାଳିଙ୍କୁ ସମ୍ମାନିତ କରାଯାଇଥାଏ। ମାତ୍ର ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କୁ କରୋନା ମହାମାରୀ କାରଣରୁ ଏହି ସମ୍ମାନ ପ୍ରଦାନ ପାଇଁ ଉତ୍ସବର ଆୟୋଜନ କରାଯାଇ ପାରି ନ ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚ ପାଇଁ ଟେଲିଭିଜନ ଭାଷ୍ୟକାର ଭାବରେ ଦୁହେଁ ଏଠାରେ ଉପସ୍ଥିତ ଥିବାରୁ ଅଳ୍ପ ସମୟର ପ୍ରସ୍ତୁତିରେ ଏହି ଉତ୍ସବ ଆୟୋଜନ ହୋଇଥିଲା। ରବି ଶାସ୍ତ୍ରୀଙ୍କୁ ତାଙ୍କ ମିଡିଆରେ ଅବଦାନ ସକାଶେ ଏସ୍‌ଜେଏଫ୍‌ଆଇର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗତ ୩ ବର୍ଷ ଧରି ଏସ୍‌ଜେଏଫ୍‌ଆଇ ଦେଶର ପ୍ରମୁଖ ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ସ୍ବର୍ଣ୍ଣ ପଦକ ପ୍ରଦାନ କରୁଛି। ପୂର୍ବରୁ ବିଜୟ ଅମୃତରାଜ ଓ ପ୍ରକାଶ ପାଦୁକୋନକୁ ଏହା ପଦକ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ଏହାକୁ ଗ୍ରହଣ କରିଥିଲେ ସୁନୀଲ ଗାଭାସ୍କର। ଏଥିସହ ଏସ୍‌ଜେଏଫ୍‌ଆଇର ଆଜୀବନ ସଦସ୍ୟ ଭାବେ ମଧ୍ୟ ତାଙ୍କୁ ଗ୍ରହଣ କରାଯିବା ବିଷୟ ଘୋଷଣା ହୋଇଥିଲା। ଏସ୍‌ଜେଏଫ୍‌ଆଇର ସଭାପତି ଏ. ବିନୋଦ, ଉପ ସଭାପତି ସମ୍ବିତ ମହାପାତ୍ର, ସମ୍ପାଦକ ପ୍ରଶାନ୍ତ କେନି, ଆର କୌଶିକ, ଏସ. ସବାନାୟକନ, ଜି. ବିଶ୍ୱନାଥ, ଦେବେନ୍ଦ୍ର ପାଣ୍ଡେ, ନିଲେଶ ଦେଶପାଣ୍ଡେ ଏବଂ ସୁପ୍ରଭାତ ଆଦିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତୀୟ କ୍ରିକେଟ ବୋର୍ଡର ପୂର୍ବତନ ସମ୍ପାଦକ ଏସ.କେ. ନାୟାର ଗାଭାସ୍କର ଓ ଶାସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ଉଭୟ ଗାଭାସ୍କର ଓ ଶାସ୍ତ୍ରୀ ସେମାନଙ୍କ ଜୀବନରେ କ୍ରୀଡ଼ା ସାମ୍ବାଦିକଙ୍କର ରହିଥିବା ବିଶେଷ ଭୂମିକା ବାବଦରେ ପ୍ରକାଶ କରିଥିଲେ। କ୍ରୀଡ଼ା ସାମ୍ବାଦିକ ଓ ଖେଳାଳିଙ୍କ ମଧ୍ୟରେ ପୂର୍ବରୁ ପ୍ରଚଣ୍ଡ ବିଶ୍ୱାସ ଥିଲା। ହେଲେ ବର୍ତ୍ତମାନ ସେହି ବିଶ୍ୱାସ କମୁଛି ବୋଲି ଗାଭାସ୍କର କହିବା ସହ ଦେଶରେ ଖେଳର ପ୍ରକୃତ ବିକାଶ ପାଇଁ ଖେଳାଳି, କ୍ରୀଡ଼ା ପ୍ରଶାସକ ଏବଂ କ୍ରୀଡ଼ା ସାମ୍ବାଦିକ ଏକାଠି କାମ କରିବାକୁ ସେ ଆହ୍ବାନ ଦେଇଥିଲେ।

Share